ଶ୍ରୀ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀ ମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି। ଆଶ୍ବିନମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ କାର୍ତ୍ତିକମାସ ଶୁକ୍ଳପକ୍ଷ ଦଶମୀ ତିଥି ପର୍ଯ୍ୟନ୍ତ ଏହି ନୀତି ଚାଲିବାକୁ ଥିବାବେଳେ ଏହି ଏକ ମାସ ଧରି ମହାପ୍ରଭୁଙ୍କ ସ୍ବତନ୍ତ୍ର ବାଳଭୋଗ ସହ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି। ଆଜି ମହାପ୍ରଭୁଙ୍କ ମଙ୍ଗଳାଆଳତୀ, ମଇଲମ, ତଡପଲାଗି ସହ ଅବକାଶ ପରେ ରାଧାଦାମୋଦର ବେଶ, ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ତପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଛି । ତେବେ କାର୍ତ୍ତିକ ନୀତିରେ ବାଳଧୂପ ଏକ ସ୍ବତନ୍ତ୍ର ଭୋଗ ଥିବାରୁ ଏଥିରେ କୋରା, ଦୋଭଜା, ଲିଆ, ଅଦା, ଖଇ, ନଡିଆ, ଚାଉଳିଆ, ସେଓ, କମଳା, କଦଳୀ, କାକୁଡି, ପଇଡ ଆଦି ଭୋଗ କରାଯାଇଥାଏ। ଏକମାସ କାଳ ପ୍ରତିଦିନ ଏହି ବେଶ ହେବ । ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ତ୍ରିକଚ୍ଛ ପରିଧାନ କରାଯାଇ ଶ୍ରୀଭୂଜରେ ସୁବର୍ଣ୍ଣ ନଳୀ ଲାଗି କରାଯିବ । ବାଉଁଶପାତିଆ ଓ କନାରେ ପ୍ରସ୍ତୁତ ଚୂଳ ଓ ଚନ୍ଦ୍ରିକା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ଶୋଭା ପାଇବ। ମସ୍ତକରେ ତଡ଼ଗୀ, ଚନ୍ଦ୍ର, ସୂର୍ଯ୍ୟ, ଚିତା, କର୍ଣ୍ଣରେ କୁଣ୍ଡଳ ଓ କଟିରେ ଓଡ଼ିଆଣୀ ଧାରଣ କରିବେ । ବାରଲାଗି ପାଟ, ବିଭିନ୍ନ ପୁଷ୍ପ ଅଳଙ୍କାର, ଶିରି କପଡା, କଳା ଉତରୀୟ ବସ୍ତ୍ର ପରିଧାନ କରି ମହାପ୍ରଭୁ ଅପୂର୍ବ ଦିଶିବେ । କାର୍ତ୍ତିକ ମାସରେ ନୀତିକାନ୍ତି ଶୃଙ୍ଖଳିତ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତିକାନ୍ତିକୁ ଚୂଡାନ୍ତ କରାଯାଇଛି l