ଆଳୁ ସାମାନ୍ୟର ସାମାନ୍ୟ ଅଶ୍ଵସ୍ତି
ଦୀର୍ଘଦିନ ଧରି ଖାଉଟିଙ୍କୁ ନାଲି ଆଖି ଦେଖାଉଥିବା ଆଳୁ ଦର ସାମାନ୍ୟ କମ୍ ରହିଛି ଆଜି କଟକ ବଜାରରେ। ଆଳୁ ଗାଡ଼ି ପଶ୍ଚିମ ବଙ୍ଗ ରୁ ଆସିଛି ବୋଲି ଖୁଚୁରା ବଜାର ରେ ୪୦ ଟଙ୍କା କେଜି ବିକ୍ରି ହେଉଥିବା କଥା କହିଛନ୍ତି ବ୍ୟବସାୟୀ ସଂଘର ସମ୍ପାଦକ। କଣ୍ଟ୍ରୋଲ ଦୋକାନରେ ୩ କେଜି କୁ ୧୦୦ ଟଙ୍କା ବିକ୍ରି କରାଯାଉଛି। ଅନ୍ୟପଟେ ଆଳୁର ଦର ମଧ୍ୟ ଛତ୍ର ବଜାରରେ କମିଥିବା କଥା କହିଛନ୍ତି ଆଳୁ ବ୍ୟବସାୟୀ ମାନେ।
ଦୀର୍ଘ ଦୁଇ ସପ୍ତାହ ରୁ ଉର୍ଦ୍ଧ ସମୟ ଧରି ଓଡିଶା ବଜାରରେ ଆଳୁ ର ସଙ୍କଟ ଦେଖା ଦେବା ସହ ଆଳୁ ର ଦର ଆକାଶ ଛୁଆଁ ହୋଇ ପଡ଼ିଥିଲା। ପଶ୍ଚିମ ବଙ୍ଗ ରୁ ଆଳୁ ନଆସିବା କାରଣରୁ କଟକ ରେ ଖୁଚୁରା ବ୍ୟବସାୟୀ ମାନେ ୬୦ ରୁ ୭୦ ଟଙ୍କା ପର୍ଯ୍ୟନ୍ତ କିଲୋ ପିଛା ବିକ୍ରି କରୁଥିଲେ। ଆଳୁ ପାଇଁ ହାହା କାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି କିଛି ଦିନ ଆଳୁ ଗାଡ଼ି ମଧ୍ୟ କଟକ କୁ ଆସି ନଥିଲା। ଦୁଇଦିନ ହେବ ଯଥେଷ୍ଟ ପରିମାଣ ର ଆଳୁ ଗାଡ଼ି ଛତ୍ର ବଜାର ର ଗୋଦାମ ଭିତରକୁ ପ୍ରବେଶ କରିଛି। ଓଡ଼ିଶା ଓ ପଶ୍ଚିମ ବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକ ରଖାଯାଉଥିବା କାରଣରୁ ଗାଡ଼ି ଗୁଡ଼ିକ ଝାଡ଼ଖଣ୍ଡ ବାଟ ଦେଇ ବୁଲିକି ଆସିବାକୁ ପଡୁଛି। ତେବେ ଆଜି କଟକ ବଜାରରେ ଆଳୁ କିଲୋ ଖୁଚୁରା ବ୍ୟବସାୟୀ ମାନେ ୪୦ ଟଙ୍କାରେ ବିକ୍ରି କରିଥିଲେ। ତଥାପି ୨୦ ରୁ ୨୫ ଟଙ୍କା ରେ ବିକ୍ରି ହେଉଥିବା ଆଳୁ କୁ ୪୦ ରେ କିଣିବା ଫଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଖାଉଟି। ସେହିଭଳି ବର୍ତ୍ତମାନ ଆଳୁ ଗାଡ଼ି ପଶ୍ଚିମ ବଙ୍ଗ ରୁ ଆସୁଥିବା ଯୋଗୁ ଦର ଟିକିଏ କମୁଛି। ଯଦି ଆଗକୁ ନ ଆସେ ତେବେ ଦର ବଢିବା ନେଇ ସମ୍ଭାବନା ରହିଛି ବୋଲି କହିଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ର ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ।
ଯୋଗାଣ ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ଗୋଦାମ ମାନଙ୍କରେ ତନଖି ଜାରି ରଖିଛି । ଖାଉଟି ମାନଙ୍କୁ ସୁଳଭ ମୂଲ୍ୟରେ ଆଳୁ ଯୋଗାଇବା ପାଇଁ ଯୋଗାଣ ବିଭାଗ ଆଳୁ ସହରର ବିଭିନ୍ନ ଖୁଚୁରା କିକ୍ରୟ କେନ୍ଦ୍ର ମାନଙ୍କ ପାଖକୁ ଯୋଗାଇଛି। ଯାହା ଫଳରେ ସହରର ଅନେକ ସରକାରୀ ଖୁଚୁରା କିକ୍ରୟ କେନ୍ଦ୍ର ମାନଙ୍କ ରେ ଆଜି ତିନି କିଲୋ କୁ ୧୦୦ ଟଙ୍କାରେ ଆଳୁ ବିକ୍ରି ହେଉଛି। ରାସନ କାର୍ଡ ଥିବା ଓ ନଥିବା ଲୋକେ ମଧ୍ୟ ଏହି ଆଳୁ ଜିଣିବାର ସୁଯୋଗ ପାଉଛନ୍ତି।
ଆଳୁ ଉପରେ ଆମ ରାଜ୍ୟ ପଶ୍ଚିମ ବଙ୍ଗ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ବେଳେ ଏହାର କୌଣସି ସ୍ଥାୟୀ ସମାଧାନ ର ବାଟ ବାହାର କରାଯାଉ ନାହିଁ। ଯଦି ଏପରି ଚାଲେ ତେବେ ପୁନର୍ବାର ଆଳୁ ଦର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।