ଦ୍ବିଗୁଣିତ ହେଲା ଅନନ୍ତ କେଶରୀଙ୍କ ଅନୁଦାନ ରାଶି

ମେଳାରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ସହ ମୁତୟନ ହେବେ 250ରୁ ଅଧିକ ଅବସରପ୍ରାପ୍ତ ସେନା, କର୍ମଚାରୀ, 7 ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସାଇନ୍ ଟିମ୍ । ଲାଗିବ ଅଧିକ ସିସିଟିଭି ଓ ଆଲୋକ । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଚଳିତବର୍ଷ ଖଣ୍ଡଗିରି ମାଘ ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସରସ, ସୁନ୍ଦର ଓ ଚିତ୍ତାକର୍ଷକ କରିବା ପାଇଁ ବ୍ୟାପକ ଆୟୋଜନ ହୋଇଛି।।ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନନ୍ତ କେଶରୀଙ୍କ ମେଳା ପାଇଁ ଦ୍ୱିଗୁଣିତ ହେଲା ବିଏମ୍ ସିର ସହାୟତା ରାଶି । ଚଳିତ ବର୍ଷ ଖଣ୍ଡଗିରି ମେଳା ତଥା ଜାଗମରାର ଆରାଧ୍ୟ ଦେବତା ଅନ୍ତ କେଶରୀଙ୍କ ଉତ୍ସବ ପାଇଁ ବିଏମ୍ ସି ପକ୍ଷରୁ 4 ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ଖଣ୍ଡଗିରିଠାରେ ଆସନ୍ତା 4 ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ଐତିହାସିକ ମାଘମେଳା ଓ ଖଣ୍ଡଗିରି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବିଭିନ୍ନ ଦିଗରୁ ଆଲୋଚନା କରାଯାଇଥିଲା । ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକ ପର୍ଯ୍ୟନ୍ତ ହୋଇଥିବା ଜବର ଦଖଲ ଉଠାଇବାକୁ କୁହାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବା ପାଇଁ ଆର୍ ଆଣ୍ଡ ବିକୁ ନିର୍ଦେଶ ଦେଇଛନ୍ତି ମେୟର । ରାସ୍ତାରେ ଥିବା ଖାଲଖମା ତୁରନ୍ତ ମରାମତି କରିବା ସହ ପଡିଆକୁ ସମତଳ କରିବା ପାଇଁ କୁହାଯାଇଛି । ଖଣ୍ଡଗିରି ପାହାଡ ଉପରକୁ ପାଣି ନେବା ଏକ ସମସ୍ୟା ହୋଇ ରହିଛି । ସେହି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଓ୍ୱାଟକୁ ନିର୍ଦେଶ ଦିଆଯାଇଛି । ସଂପୃକ୍ତ ଅଂଚଳ ଓ୍ୱାଟ୍ କୋ, ବିଏମ୍ ସି ଇଂଜିନିୟର ଓ ଜୋନାଲ କମିଶନର ମିଳିତ ଭାବେ ଅନୁଧ୍ୟାନ କରିବା ସହ ପାହାଡ ଉପରକୁ କିପରି ସ୍ଥାୟୀଭାବେ ପାନୀୟ ଜଳ ଯୋଗାଣ ହୋଇପାରିବ, ସେଥିପାଇଁ ପଦକ୍ଷେପ ନେବାକୁ ଉଭୟ ମେୟର ଓ କମିଶନର ନିର୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ସଂପୃକ୍ତ ଅଂଚଳରେ ଥିବା ନଳକୂପଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି । ଖଣ୍ଡଗିରି ଛକରୁ ଜୟଦେବ ଭାଟିକା ଛକ ପର୍ଯ୍ୟନ୍ତ, ମେଳା ପଡିଆ, ଆଦି ଅଂଚଳକୁ ଆଲୋକିକରଣ କରିବା ପାଇଁ ମଧ୍ୟ ଆଲୋଚନା ହୋଇଛି। । ଏ ବର୍ଷ ଅଧିକ ସଂଖ୍ୟକ ସିସି ଟିଭି, ବ୍ୟାରିକେଡ୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ପରିବେଶ ପରିଷ୍କାର ରଖିବା ସହ ବର୍ଜ୍ୟ ଉଠାଇବାକୁ ମେଳାସ୍ଥଳରେ 24 ଘଣ୍ଟିଆ ସଫେଇ କର୍ମୀ ଓ ଗାଡି ରହିବ । ପରିବେଶକୁ ସ୍ୱଚ୍ଛ ରଖିବା ସହ ଜନ ସାଧାରଣଙ୍କ ସୁବିଧା ପାଇଁ ମେଳା ଅଂଚଳରେ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି । ଯାତ୍ରା ଅଂଚଳରେ ପୋଲିସ, ମେଡିକାଲ ଟିମ୍, ଅଗ୍ନୀଶମ ବିଭାଗ, ଓ୍ୱାଟ୍ କୋ, ବିଦ୍ୟୁତ୍ ଆଦି ଉପବିଭାଗର ସେବା ଶିବିର ରହିବାକୁ ସ୍ଥିର କରାଯାଇଛି ।
ଚଳିତ ବର୍ଷ ମେଳାରେ ବ୍ୟବସାୟୀମାନଙ୍କ ପାଇଁ ଷ୍ଟଲ ସଂଖ୍ୟା ବୃଦ୍ଧି କରିବା ସହ ଗତବର୍ଷ ହୋଇଥିବା ସାଇଜ୍ ର ଷ୍ଟଲ କରିବାକୁ ମଧ୍ୟ କୁହାଯାଇଛି । ଏ ବର୍ଷ ମେଳାରେ 4 ଶହରୁ ଅଧିକ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି । ଯେଉଁମାନଙ୍କର ବ୍ୟବସାୟିକ ଅନୁମତି ପତ୍ର ଥିବ, ସେହିମାନଙ୍କୁ ଷ୍ଟଲ ପକାଇବା ପାଇଁ ପ୍ରୋତ୍ସାହିତ କରାଯିବ । ଭ୍ରାମ୍ୟମାଣ ବ୍ୟବସାୟୀଙ୍କଠାରୁ ଟ୍ରେଡ ଲାଇସେନ୍ସ ଫି ମଧ୍ୟ ଆଦାୟ କରାଯିବ । ଖଣ୍ଡଗିରି ମେଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ମୁତୟନ କରାଯିବ । କମିଶନରେଟ୍ ପୋଲିସ ସହ ବିଏମ୍ ସିର 7ଟି ସ୍କ୍ୱାର୍ଡ ଏବଂ ସ୍ୱତନ୍ତ୍ର ଭାବେ 250 ଜଣ ଅବସରପ୍ରାପ୍ତ ସେନାଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ । ଏହା ସହ ବିଏମ୍ ସିର ସାଇନ୍ ଟିମ୍ ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସକୁ ସହାୟତା କରିବେ । ଏମାନେ ସମସ୍ତେ କମିଶନରେଟ ପୋଲିସ ନିର୍ଦେଶରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ବ୍ୟବସାୟୀମାନଙ୍କୁ ଅସ୍ଥାୟୀ ଦୋକାନ ଗୃହ ବା ଷ୍ଟଲ ବଣ୍ଟନ ପାଇଁ ବିଭିନ୍ନ ଖବର କାଗଜରେ ପ୍ରଚାର ପ୍ରସାର କରାଯିବାକୁ ନିଷ୍ପତ୍ତି ହୋଇଛି । ଯାତ୍ରା ସମୟରେ ଗାଡି ପାର୍କିଂ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ସେଥିପାଇଁ 4ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ ଆଉ ଅଧିକ ସ୍ଥାନରେ ପାର୍କିଂ ସ୍ଥାନ ଚିହ୍ଟନ କରିବା ପାଇଁ କମିଶନରେଟ ପୋଲିସ ଏବଂ ସାଉଥ-ଓ୍ୱେଷ୍ଟ ଜୋନାଲ କମିଶନରଙ୍କୁ ଦାୟିତ୍ୱ ଦିଆଯାଇଛି । ଆବଶ୍ୟକ ପଡିଲେ ଦୁଇରୁ ତିନି କିଲୋମିଟର ଦୂରରେ ପାର୍କିଂ ସ୍ଥାନ ନିରୂପଣ କରି, ସେଠାରୁ ଦେଖଣାହାରୀଙ୍କୁ ବସ୍ ଯୋଗେ ଖଣ୍ଡଗିରି ମେଳାସ୍ଥଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ରାସ୍ତା ପାର୍ଶ୍ୱରେ କୌଣସି ଗାଡି ନ ରଖିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି ।
ବିଏମ୍ ସିର ଖାଦ୍ୟ ନିରାପତ୍ତା ଟିମ୍ ମଧ୍ୟ ମେଳାରେ ଉପସ୍ଥିତ ରହିବେ । ସେମାନେ ଦୈନିକ ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିବେ । ଆଇନ ଶୃଙ୍ଖଳ, ଟ୍ରାଫିକ୍, ପକେଟ୍ ମାର ଓ ଚୋରୀକୁ ରୋକିବା ପାଇଁ ଖଣ୍ଡଗିରି ମେଳା ଅଂଚଳରେ ଗତ ବର୍ଷ ଅପେକ୍ଷା ଅଧିକ ସିସି ଟିଭି ଲଗାଇବାକୁ ବ୍ୟବସ୍ଥା କରାଯାଇଛି । କେଉଁ କେଉଁ ସ୍ଥାନରେ ସିସି ଟିଭି ଲାଗିବ, ସେ ସଂପର୍କରେ କମିଶନରେଟ ପୋଲିସ ଓ ସଂପୃକ୍ତ ଜୋନାଲ କମିଶନର ସ୍ଥାନ ନିରୂପଣ କରି ଜଣାଇବେ । ମେଳାରେ ଚୋରି କରିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ଏବଂ ଅପରିଷ୍କାର କରୁଥିବା ବଞ୍ଜରାଙ୍କୁ ମେଳାଠାରୁ ଦୂରେଇ ରଖିବାକୁ ଆଲୋଚନା ହୋଇଛି । ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କମିଶନରେଟ ପୋଲିସକୁ କୁହାଯାଇଛି । ଏହା ବ୍ୟତୀତ ସାଧୁ ସନ୍ଥଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବା, ଯାତ୍ରା ପଡିଆ, ଯାତ୍ରା ପାର୍ଟି ଆଦିକୁ ସୁନିୟନ୍ତ୍ରିତ କରିବା ଆଦି ବହୁ ଦିଗ ଉପରେ ଆଲୋନଚା କରାଯାଇଛି ।