ଆନ୍ଦୋଳନରତ ଡାକ୍ତରଙ୍କ ସହ ମମତାଙ୍କ ଆଲୋଚନା

ଆନ୍ଦୋଳନରତ ଡାକ୍ତରଙ୍କ ସହ ମମତାଙ୍କ ଆଲୋଚନା

କିଛି ଏପରି ଅପିଲ କରିଛନ୍ତି ବେଙ୍ଗଲର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଖାଲି ସେତିକି ନୁହେଁ ଆନ୍ଦୋଳନର ପ୍ରତ୍ୟାହାର ପାଇଁ ଅପିଲ କରିବା ସହିତଡାକ୍ତରଙ୍କ ଦାବୀ ପୁରଣ ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ମମତା ।  ସେପଟେ ଆନ୍ଦୋଳନରତ ଡାକ୍ତରୀ ଛାତ୍ରଛାତ୍ରୀ ବି ଦିଦିଙ୍କ ଆଗରେ ରଖିଛନ୍ତି କିଛି ସର୍ତ । ସଂପୂଣ୍ଣ ଆଲୋଚନାର ଲାଇଭ୍ ଷ୍ଟ୍ରିମିଂ  କରିବା ପାଇଁ କହିଛନ୍ତି ଛାତ୍ରଛାତ୍ରୀ । କିନ୍ତୁ କେବେ ଆନ୍ଦୋଳନ ପ୍ରତ୍ୟାହାର କରିବେ ସେ ନେଇ କିଛି କହି ନାହାନ୍ତି ।

ମାନ୍ୟବର ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନ ଜାରି ରଖିଛନ୍ତି ଆରଜି କର ମେଡିକାଲ କଲେଜର ଛାତ୍ରଛାତ୍ରୀ । ଏହି ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ଶେଷରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ପାଖକୁ ଶନିବାର ପୂର୍ବାହ୍ନରେ ହଠାତ୍ ପହଞ୍ଚିଥିଲେ ମମତା । ମୁଖ୍ୟମନ୍ତ୍ରୀଙ୍କ ସିକ୍ୟୁରିଟି ଅଫିସର ଦିଦିଙ୍କ ଉପରେ ଆକ୍ରମଣ ସମ୍ଭାବନା ଥିବା କହିବା ସତ୍ତ୍ବେ ବି ପ୍ରୋଟୋକଲ୍ ଭାଙ୍ଗି ଆନ୍ଦୋଳନ ସ୍ଥଳକୁ ଯାଇଥିଲେ କେବଳ ଆଲୋଚନା ପାଇଁ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ଗହଣରେ ପାଇଁ ଛାତ୍ରଛାତ୍ରୀ ମମତା ବିରୋଧୀ ସ୍ଲୋଗାନ୍ ଦେଇଥିଲେ । ତାଙ୍କୁ କିଛି କହିବା ପାଇଁ ସୁଯୋଗ ଦେଇ ନ ଥିଲେ । ଏହି ପ୍ରତିବାଦ ଭିତରେ ଦିଦି ବଂଗାଳୀରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ ଏବଂ କହିଥିଲେ ଦୟାକରି ମୋ କଥାକୁ 5 ମିନିଟ୍ ପାଇଁ ଶୁଣନ୍ତୁ, ତା ପରେ ସ୍ବୋଗାନ ଦିଅନ୍ତୁ । ଏହା ଆପଣଙ୍କର ଗଣତାନ୍ତ୍ରିକ ଅଧିକାର । ଆପଣମାନଙ୍କ ସହ ସିଧା ସଳଖ ଆଲୋଚନା କରିବା ପାଇଁ ମୁଁ ଅନେକ ଦିନ ହେବ ଅପେକ୍ଷା କରିଛି । ଆନ୍ଦୋଳନକାରୀଙ୍କୁ ସାଲ୍ୟୁଟ୍ କରିବା ପାଇଁ ମୁଁ ଆସିଛି । ଦିନେ ମୁଁ ମଧ୍ୟ ଛାତ୍ର ଆନ୍ଦୋଳନ କରୁଥିଲି । ଏଠି ମୋ ପଦ ବଡ ନୁହେଁ, ଆପଣଙ୍କ ସ୍ବର ବଡ । ଗତ ରାତି ତମାମ୍ ବର୍ଷା ହୋଇଛି, କିନ୍ତୁ ଆପଣମାନେ ଏଠାରେ ଆନ୍ଦୋଳନରତ ଥିଲେ,ଏହା ଜାଣିବା ପରେ ମୁଁ ରାତି ସାରା ଶୋଇ ପାରିଲି ନାହିଁ, କାରଣ ଏହା ମତେ ବହୁତ କଷ୍ଟ ଦେଇଥିଲା ।

ଏହା ସହ ମମତା କହିଥିଲେ ଆପଣଙ୍କ ଦାବି ଗ୍ରହଣ ହେବ, ମୁଁ ଏକାକୀ ସରକାର ଚଳାଉ ନାହିଁ । ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଗୃହ ସଚିବ ଅଛନ୍ତି, ସେମାନଙ୍କ ଆଲୋଚନା ପରେ ଦାବି ପୁରଣ ହେବ । ମୁଁ ବି ଚାହେଁ ପୀଡିତଙ୍କୁ ନ୍ୟାୟ ମିଳୁ ଏବଂ ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳୁ । ଏଥି ପାଇଁ ମୁଁ ସିବିଆଇକୁ ନିବେଦନ କରିଛି ।

ଏବେ କାଯ୍ୟକୁ ଫେରନ୍ତୁ, କଥା ଦେଉଛି ଆପଣଙ୍କ ସହ ଅନ୍ୟାୟ ହେବ ନାହିଁ । ଅଚଳାବସ୍ଥା ଦୁର କରିବା ପାଇଁ ମୁଁ ଶେଷଥର ପାଇଁ ଆପଣଙ୍କୁ ଭେଟିବାକୁ ଆସିଛି । ଆପଣ ଯେଉଁଠି କହିବେ, ମୁଁ ସେଠାକୁ ଆଲୋଚନା ପାଇଁ ଯିବି । ମୋ ଉପରେ ବିଶ୍ବାସ ରଖନ୍ଚୁ ବୋଲି ଅତି ନମ୍ର ଭାବେ କହିଥିଲେ ମମତା । ତେବେ ଏ ସଂପର୍କରେ ଆନ୍ଦୋଳନରତ ଛାତ୍ରଛାତ୍ରୀ କୌଣସି ଜବାବ୍ ସଙ୍ଗେ ସଙ୍ଗେ ଦେଇ ନ ଥିଲେ । ଫଳରେ ଫେରି ଯାଇଥିଲେ ମମତା ବାନାର୍ଜୀ । ଏବେ ଅପେକ୍ଷା ରହିଲା ଛାତ୍ରଛାତ୍ରୀମାନେ କି ପଦକ୍ଷେପ ନେଉଛନ୍ତି । କାରଣ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଏବେ ବି ସ୍ବାସ୍ଥ ଭବନ ପରିସରରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ ପରେ ବି କିଛି ଉତ୍ତର ଦେଇ ନାହାନ୍ତି ।