ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି

ଶ୍ରୀମନ୍ଦିରରେ ଆଜି ଓଢଣ ଷଷ୍ଠୀ ନୀତି

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଓଢଣ ଷଷ୍ଠୀ ନୀତି । ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡଲାଗି କରାଯିବ । ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ । ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟା, ଛତା, କାହାଳୀ ସହ ପଟୁଆରରେ ବଡଦେଉଳକୁ ତିନି ଘେରା ପ୍ରଦକ୍ଷିଣ କରାଇ ରତ୍ନସିଂହାସନକୁ ବିଜେ କରାଯିବ ।
ସିଂହାସନରେ ଠାକୁରମାନଙ୍କର ପାଗ ଓ ଘୋଡ ଲାଗି ବଢିବାପରେ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବ । ପରେ ପ୍ରସାଦ ଲାଗି ସହ ତିନିବାଡ଼ରେ ବନ୍ଦାପନା କରାଯିବ । ମଖଲମ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା । ପରମ୍ପରା ଅନୁଯାୟୀ ଶ୍ରୀ ପଂଚମୀ ପୂର୍ବଦିନ ପର୍ୟ୍ୟନ୍ତ ଠାକୁରମାନେ ଏହି ଘୋଡ଼ ଲାଗି ହୋଇଥାନ୍ତି । ରବିବାରରେ ଲାଲ ରଙ୍ଗ, ସୋମବାର କଳାଛିଟା ମିଶା ଶୁକ୍ଳରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳରଙ୍ଗ, ଗୁରୁବାର ହଳଦିଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାକ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତବସ୍ତ୍ର ପରିଧାନ କରିଥାନ୍ତି ।