ସୌରଶକ୍ତିରେ ଚାଲିବ ୫୦% ତୈଳ ଷ୍ଟେସନ

ସୌରଶକ୍ତିରେ ଚାଲିବ ୫୦% ତୈଳ ଷ୍ଟେସନ

ଜାତୀୟ ଖବର

ନୂଆଦିଲ୍ଲୀ : ଆନ୍ତର୍ଜାତିକ ସୌର ଆଲାଏନ୍ସ (ଆଇଏସଏ) ପକ୍ଷରୁ ବିଶ୍ୱର ପ୍ରଥମ ସୌର ବୈଷୟିକ ସମ୍ମଳିନୀ ଭାରତରେ ଆୟୋଜନ କରାଯାଇଛି । ଏଥିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆସନ୍ତା ୫ ବର୍ଷରେ ଦେଶର ୫୦ ପ୍ରତିଶତ ତୈଳ ଷ୍ଟେସନକୁ ସୌର ଶକ୍ତି ଦ୍ୱାରା ପରିଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ତୈଳ ଓ ଗ୍ୟାସ କମ୍ପାନୀମାନେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ନିରବଚ୍ଛିନ୍ନ ଭାବେ କାର୍ୟ୍ୟ କରୁଛନ୍ତି । ବର୍ତ୍ତମାନ ୨୭୦ ମେଗାୱାଟ କ୍ଷମତା ବିଶିଷ୍ଟ ସୌର ଶକ୍ତି ସ୍ଥାପନ କରାଯାଇଥିବା ବେଳେ ଆଗାମୀ ବର୍ଷରେ ସୌର କ୍ଷମତା ଅତିରିକ୍ତ ୬୦ ମେଗାୱାଟ କରାଯିବ । ଇଣ୍ଡିଆନ ଅଏଲର ୫ ହଜାରରୁ ଅଧିକ ପେଟ୍ରୋଲ ପମ୍ପକୁ ଗତ ବର୍ଷ ସୌରଚାଳିତ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ସୌର ଆଲାଏନ୍ସର ଜଳବାୟୁ କାର୍ୟ୍ୟକ୍ରମରେ ଦେଶର ପାଞ୍ଚଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସାମିଲ ହେବ । ଓଏନଜିସି, ଆଇଓସିଏଲ, ବିପିସିଏଲ, ଏଚପିସିଏଲ ଏବଂ ଗେଲ ଆଇଏସଏର କର୍ପୋରେଟ ଭାଗିଦାରୀ ଭାବରେ ସାମିଲ ହେବେ । ଭାରତ ଏବଂ ଅନ୍ୟ ଦେଶରେ ସୌର ଆଧାରିତ ପ୍ରକଳ୍ପର କାର୍ୟ୍ୟକାରିତାର ନୂଆ ସୁଯୋଗ ଅନ୍ୱେଷଣ କରିବା ଦିଗରେ ସେମାନେ କାର୍ୟ୍ୟ କରିମେ । ତୈଳ ଓ ଗ୍ୟାସ କମ୍ପାନୀମାନେ ଆଇଏସଏ ସହିତ ମିଳିତ ଭାବରେ କାର୍ୟ୍ୟ କରିବେ ବୋଲି ସେ କହିଛନ୍ତି ।