ଛାଡ଼ ହୋଇପାରେ ୩୦% ସ୍କୁଲ ଫି’

ଛାଡ଼ ହୋଇପାରେ ୩୦% ସ୍କୁଲ ଫି’

ରାଜ୍ୟ ଖବର

ଭୁବନେଶ୍ୱର: କୋଭିଡ -୧୯ ସମୟରେ ସ୍କୁଲ ଫି’ଛାଡ଼କୁ ନେଇ ଅଭିଭାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଆପୋସ ସମାଧାନ ହୋଇଛି । ଚୂଡାନ୍ତ ନିଷ୍ପତ୍ତିରେ ନିଆଯାଇ ନଥିଲେ ମଧ୍ୟ ସର୍ବାଧିକ ୩୦% ସ୍କୁଲ ଫି’ ଛାଡ଼ କରିବାକୁ ସହମତି ପ୍ରକାଶ ପାଇଛି । ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମଧ୍ୟସ୍ଥତାରେ ସମସ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଓ ବିଚାରବିମର୍ଶ ପରେ ଏଭଳି ନିଷ୍ପତ୍ତି ହୋଇଛି । ସ୍କୁଲ ଫି’ ଛାଡ଼ ପାଇଁ ଘରୋଇ ସ୍କୁଲ ଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯିବା ସହ ଆଦାୟ କରାଯାଉଥିବା ଆନ୍ସିଲାରି ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ବି ପ୍ରସ୍ତାବ ଦିଆଯାଇଛି । ଗୋଟିଏ ପଟେ ଅଭିଭାବକ ସଂଘ ୫୦% ସ୍କୁଲ ଫି ଛାଡ଼ କରିବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ଏହା ସମ୍ଭବପର ନୁହେଁ ବୋଲି ସ୍କୁଲ ସଂଘ ଯୁକ୍ତି ବାଢ଼ିଥିଲା । ଯେଉଁଥିପାଇଁ ଦୁଇ ସପ୍ତାହ ହେଲା ବିବାଦ ଛିଣ୍ଡୁ ନଥିଲା । ଶେଷରେ ରାଜସ୍ଥାନ ସରକାର ଯେଉଁ ଢ଼ାଞ୍ଚାରେ ସ୍କୁଲ ଫି ଛାଡ କରିଛନ୍ତି ତାହାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାର ୬ ହଜାରରୁ ଅଧିକ ଘରୋଇ ସ୍କୁଲ ରହିଛି । ଯେଉଁଥିରେ ଇଂରାଜୀ ଓ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଡେ’ସ୍କଲାର, ଡେ ବୋର୍ଡିଂ, ରେସିଡେନ୍ସିଆଲ ସ୍କୁଲ ଅନ୍ତର୍ଭୁକ୍ତ ରହିଛନ୍ତି । ତାହାକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯେଉଁ ସ୍କୁଲ ଟୁ୍ୟସନ ଫି ବାବଦରେ ମାସିକ ୨୦୦ ରୁ ୫୦୦ ଟଙ୍କା ଫି ନେଉଛନ୍ତି ସେମାନଙ୍କୁ ପ୍ରଥମ ବର୍ଗରେ ରଖାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ମାସିକ ୫୦୧ ରୁ ୧୦୦୦ ଟଙ୍କା ଓ ତୃତୀୟ ବର୍ଗରେ ମାସିକ ୧୦୦୦ ରୁ ଅଧିକ ଟଙ୍କା ନେଉଥିବା ବିଦ୍ୟାଳୟ ରହିଛନ୍ତି । ସେହି ଅନୁଯାୟୀ ବିଦ୍ୟାଳୟ ଗୁଡ଼ିକ ୦ ରୁ ୩୦% ପର୍ଯ୍ୟନ୍ତ ଫି ଛାଡ଼ କରିବେ । ଆନ୍ସିଲାରି ଫିକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ପ୍ରସ୍ତାବ ରହିଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ମଧ୍ୟସ୍ଥତାରେ ସମସ୍ତ ପକ୍ଷ ଯଥା କନଫଡରେସନ ଅଫ ସ୍କୁଲ ଆସୋସିଏସନ, ଶିକ୍ଷକ ପ୍ରତିନିଧି, ଓଡ଼ିଶା ଅଭିଭାବକ ମହାସଂଘ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଗୋଟିଏ ପକ୍ଷ ଅନୁପସ୍ଥିତ ରହିଥିଲେ । ଆସନ୍ତା ୧୪ ତାରିଖରେ ହାଇକୋର୍ଟ ଚୂଡାନ୍ତ ରାୟ ଶୁଣାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ସ୍କୁଲ ଫି’ଛାଡ଼ ନେଇ ଏକ ପ୍ରକାର ନିଷ୍ପତ୍ତି ହୋଇଥିଲେ ମଧ୍ୟ ଗୋଟିଏ ପକ୍ଷ ଏଥିରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ।