ଖୋର୍ଦ୍ଧା ବିଧାୟକଙ୍କୁ କ’ଣ କହିଲେ ପାଣ୍ଡିଆନ ?

ଖୋର୍ଦ୍ଧା ବିଧାୟକଙ୍କୁ କ’ଣ କହିଲେ ପାଣ୍ଡିଆନ ?

ରାଜନୀତି

ଭୁବନେଶ୍ୱର : ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଏମିତି କି କଥା କହିଲେ ପାଣ୍ଡିଆନ ? ଯାହାକୁ ନେଇ ଉଭୟ ଖୋର୍ଦ୍ଧା ଓ ବେଗୁନିଆ ରାଜନୀତି ସରଗରମ ହୋଇଯାଇଛି । ଶୁକ୍ରବାର ରାତିରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଆଜି ଦିନ ତମାମ ବିଜେଡ଼ି ମହଲ କାଉଲବାଉଲ ହୋଇଯାଇଥିବା ଦେଖିବାକୁ ମିଳିଛି । ବିଜେଡ଼ି ମହଲରେ ହୋଇଥିବା ଚର୍ଚ୍ଚା ଅନୁଯାୟୀ, ଶୁକ୍ରବାର ଶ୍ରୀ ସାହୁ ନିଜର ବିଶ୍ୱସ୍ତ କର୍ମୀମାନଙ୍କ ସହ ଗୁପ୍ତ ମନ୍ତ୍ରଣା କରିଥିଲେ । କର୍ମୀଙ୍କ ସହ ଆଲୋଚନା କାଳରେ ଶ୍ରୀ ସାହୁ କହିଥିଲେଯେ, ତାଙ୍କୁ ଏଥର ଖୋର୍ଦ୍ଧାରୁ ଟିକେଟ ମିଳିବ ନାହିଁ । ପାଣ୍ଡିଆନ ତାଙ୍କୁ ବେଗୁନିଆ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ବେଗୁନିଆରୁ ଲଢ଼ିଲେ ସେ ୨୫ ହଜାର ଭୋଟରେ ବିଜୟୀ ହୋଇପାରିବେ ବୋଲି ପାଣ୍ଡିଆନ କହିଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ତେବେ ସତରେ ପାଣ୍ଡିଆନ ଶ୍ରୀ ସାହୁଙ୍କୁ ଏକଥା କହିଛନ୍ତି ନା ଏହାପଛରେ କିଛି ଯୋଜନା ରହିଛି ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଶ୍ରୀ ସାହୁଙ୍କ ଏଭଳି ମନ୍ତବ୍ୟ କିଛି କ୍ଷଣ ମଧ୍ୟରେ ଉଭୟ ବେଗୁନିଆ ଓ ଖୋର୍ଦ୍ଧା ବିଜେଡ଼ି କର୍ମୀଙ୍କ ପାଖରେ ପହଁଚି ଯାଇଥିଲା । ଯଦି ଖୋର୍ଦ୍ଧାରୁ ରାଜ ସାହୁ ପ୍ରାର୍ଥୀ ନହେବେ ତେବେ ଖୋର୍ଦ୍ଧାରୁ କିଏ ଲଢ଼ିବେ ? ସେହିପରି ବେଗୁନିଆ ବିଧାୟକଙ୍କୁ ବେଗୁନିଆରୁ ଦଳ ପ୍ରାର୍ଥୀ ନକଲେ ତାଙ୍କୁ କିଭଳି ଥଇଥାନ କରିବ ସେନେଇ ଚର୍ଚ୍ଚା ଜୋରଧରିଛି । ଏମିତିକି ଖୋର୍ଦ୍ଧାରୁ ପ୍ରସନ୍ନ ପାଟ୍ଟଶାଣୀ ଓ ବେଗୁନିଆରୁ ରାଜେନ୍ଦ୍ର ସାହୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେବା ଫଳରେ ଉଭୟ ରାଜେନ୍ଦ୍ର ଓ ପ୍ରଶାନ୍ତଙ୍କ ସମର୍ଥକଙ୍କ ମନରେ ନୈରାଶ୍ୟ ଖେଳିଯାଇଛି । ଖାଲି ସେମାନେ ନୁହଁନ୍ତି ବରଂ ଉଭୟ ନିର୍ବାଚନମଣ୍ଡଳୀରେ ଥିବା ବିଜେଡ଼ି ଟିକେଟ ଆଶାୟୀ ବି ଚିନ୍ତାରେ ପଡ଼ିଯାଇଛନ୍ତି । ଶ୍ରୀ ସାହୁ ଆଉ କାହା ନାଁ ନେଇଥିଲେ କିଛି ଭାବିବାର ନଥିଲା, ହେଲେ ପାଣ୍ଡିଆନଙ୍କ ନାମ ନେଇଥିବାରୁ ଅନେକ ଏହାକୁ ସତ ବୋଲି ଭାବିନେଉଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କେତେକ ଅନୁତରିତ ପ୍ରଶ୍ନ ଉଙ୍କି ମାରୁଛି । ଯଦି ପାଣ୍ଡିଆନ ଦଳର ଏକ ଗୁପ୍ତ ଏଜେଣ୍ଡା ସମ୍ପର୍କରେ ଶ୍ରୀ ସାହୁଙ୍କୁ କହିଲେ, ତେବେ ସେ କର୍ମୀ ସମ୍ମିଳନୀରେ ଏହା ପ୍ରକାଶ କଲେ କେମିତି ? ଏହାଦ୍ୱାରା ପାଣ୍ଡିଆନ ବଦନାମ ହେବେନାହିଁ କି ? ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଅଧିକାରୀ ଦଳୀୟ ଟିକେଟ ବାଂଟୁଛନ୍ତି ବୋଲି ଯେଉଁ ପ୍ରଚାର ହେବ ସେଥିରୁ ବିଜେପି କିମ୍ବା କଂଗ୍ରେସ ଫାଇଦା ନେବେ ନାହିଁ ତ ? ସାଧାରଣତଃ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନାମାଙ୍କନ ପତ୍ର ଦାଖଲର ଅଳ୍ପ କେଇ ସମୟ ପୂର୍ବରୁ କରାଯିବା କଥା । ମନେକର ଦଳ ରାଜେନ୍ଦ୍ରଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି । କିନ୍ତୁ ଏବେ ଯଦି ଏହା ପ୍ରଘଟ ହୁଏ ତେବେ ରାଜେନ୍ଦ୍ର ବେଗୁନିଆରୁ ସଂଗଠନ କରିପାରିବେ କି ? କାହିଁକିନା ସେଠାରେ ବି ବିଜେଡ଼ି ବିଧାୟକ ଅଛନ୍ତି । ବେଗୁନିଆ ବିଧାୟକ ନ ଚାହିଁବା ପର୍ଯ୍ୟନ୍ତ ରାଜେନ୍ଦ୍ର ତାଙ୍କର ସମର୍ଥକମାନଙ୍କୁ ନିଜ ଆଡ଼କୁ ନେଇପାରିବେ କି ? ଏହାର ଉତର ନିଶ୍ଚିତ ଭାବେ ନା ? ଏଭଳି ସ୍ଥିତିରେ ପ୍ରଶାନ୍ତ ଓ ରାଜେନ୍ଦ୍ରଙ୍କ ମଧ୍ୟରେ ନବୀନ ନିବାସରେ ଆଲୋଚନା ହେବା କଥା । ଟିକେଟ କାଟିବା ପରେ ପ୍ରଶାନ୍ତଙ୍କୁ ଥଇଥାନର ପ୍ରତିଶ୍ରୁତି ବି ଦିଆଯିବା କଥା । କିନ୍ତୁ ସେଭଳି କିଛି ହୋଇନାହିଁ । ଅପରପକ୍ଷରେ ବେଗୁନିଆରୁ ତାଙ୍କୁ ୨୦୧୯ରେ ପ୍ରାର୍ଥୀ କରାଯିବ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀ ଜଗଦେ୍ଧବଙ୍କୁ ସଂକେତ ଦେଇସାରିଥିବା ତାଙ୍କ ସମର୍ଥକମାନେ ଦାବି କରିଛନ୍ତି । ଅନ୍ୟ ଏକ ଚର୍ଚ୍ଚା ଅନୁଯାୟୀ, ଖୋର୍ଦ୍ଧାରେ ରାଜେନ୍ଦ୍ରଙ୍କ ସ୍ଥିତି ଭଲ ନାହିଁ । ଜିତୁ ମିତ୍ର ଓ ବିଜେପିର ଭୋଟ ବୃଦ୍ଧି ପାଇବାରେ ଲାଗିଛି । ଦୁଇ ଦୁଇ ଥର ରାଜେନ୍ଦ୍ର ସାହୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଜିତୁଙ୍କୁ ସ୍ୱଳ୍ପ ଭୋଟରେ ପରାସ୍ତ କରିଛନ୍ତି । ଉଭୟଙ୍କ ସଂଗଠନ ସମାନ ସମାନ ଥିବାରୁ ରାଜେନ୍ଦ୍ର ତ୍ରିଶଙ୍କୁ ଅବସ୍ଥାରେ ଝୁଲି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ବେଗୁନିଆ ନିର୍ବାଚନମଣ୍ଡଳୀଟି ତାଙ୍କ ପାଇଁ ସୁବିଧାଜନକ ହେବ । କାହିଁକିନା ବେଗୁନିଆରେ ବିଜେଡ଼ିର ଦୃଢ଼ ସଂଗଠନ ରହିଛି । ସେଇ ଆଶାରେ ରାଜେନ୍ଦ୍ର ଏଭଳି ଏକ ମନଗଢ଼ା ଚର୍ଚ୍ଚା ନିଜ କର୍ମୀଙ୍କ ଜରିଆରେ ପ୍ରସାରିତ କରୁନାହାନ୍ତି ତ ବୋଲି ପ୍ରଶ୍ନ ଉଠୁଛି । ଅପରପକ୍ଷରେ ପ୍ରସନ୍ନ ପାଟ୍ଟଶାଣୀ ଏକଦା ଖୋର୍ଦ୍ଧାରୁ ୪ ଥର ବିଧାୟକ ହୋଇଥିଲେ ମଧ୍ୟ ଏବେ ତାଙ୍କର ଲୋକପ୍ରିୟତା ଆଦୌ ନାହିଁ କହିଲେ ଭୁଲ ହେବନାହିଁ । ସେହିପରି ବେଗୁନିଆରୁ ଗଣେଶଙ୍କୁ ଯଦି ପ୍ରାର୍ଥୀ କରାନଯାଏ ଓ ସେ ଯଦି ରାଜେନ୍ଦ୍ରଙ୍କୁ ସହଯୋଗ ନକରନ୍ତି ତେବେ ରାଜେନ୍ଦ୍ର ବି ଜିତି ପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଦଳ ନିର୍ବାଚନ ଆରମ୍ଭରୁ ଦୁଇଟି ଆସନ ହାତଛଡ଼ା କରିବା ଭଳି ଗୁରୁଚଣ୍ଡାଳ ତ୍ରୁଟି କରିବ ନାହିଁ ବୋଲି କୁହାଯାଇପାରେ । ତେବେ ଏହି ଚର୍ଚ୍ଚା ବେଗୁନିଆରେ ଗଣେଶଙ୍କ ସମର୍ଥକଙ୍କୁ ଯେତିକି ନିରାଶ କରିଛି ଋଷଭ ନନ୍ଦଙ୍କ ସମର୍ଥକଙ୍କୁ ତତୋଧିକ ନିରାଶ କରିଛି ବୋଲି କୁହାଯାଉଛି ।