ନୂଆଦିଲ୍ଳୀ: ବିବାଦୀୟ କୃଷି ବିଲ୍ ପ୍ରସଂଗ ନେଇ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ। ସେ ରାଷ୍ଟ୍ରପତିଙ୍କୁ ଭେଟି ଏହି ବିବାଦୀୟ କୃଷି ବିଲ୍କୁ ମଞ୍ଜୁରି ନଦେବାକୁ ନିବେଦନ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ଶ୍ରୀ ଆଜାଦ କହିଛନ୍ତି, ସରକାର ବିଲ ଆଣିବା ପୂର୍ବରୁ ସମସ୍ତ ଦଳ ଏବଂ କୃଷକ ନେତାଙ୍କ ସହିତ ପରାମର୍ଶ କରିବା ଉଚିତ୍ ଥିଲା। ମାତ୍ର ଏ ବିଲ୍ ନେଇ କୌଣସି ପ୍ରକାରର ଭୋଟିଂ ହୋଇନାହିଁ। ମନ୍ଦିର ସ୍ବରୁପ ଗଣତନ୍ତ୍ରରେ ସମ୍ବିଧାନ କ୍ଷୁର୍ଣ୍ଣ ହୋଇଛି। କୃଷି ବିଲ୍ ଅସାମ୍ବିଧାନିକ ବୋଲି ଆମେ ରାଷ୍ଟ୍ରପତିଙ୍କୁ ଜଣାଇଛୁ। ଏହି ବିଲ୍ ଫେରସ୍ତ ହେବା ଉଚିତ। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ ସଂସଦରେ ଉପସ୍ଥାପନ କରାଯାଇଥିବା କୃଷି ଓ କୃଷକଙ୍କ ସମ୍ପର୍କିତ ତିନିଟି ବିଲ୍କୁ ବିରୋଧ କରିି ରାଜ୍ୟସଭାରେ ବୟକଟ କରିଛନ୍ତି ବିରୋଧୀ ଦଳ। ଏପଟେ କୃଷକମାନେ ମଧ୍ୟ ଏହି ବିଲ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଛନ୍ତି। ସେମାନଙ୍କ ମନରେ ଭୟ ରହିଛି ଯେ ଏହି ବିଲ୍ଗୁଡ଼ିକ ଆଇନରେ ପରିଣତ ହେଲେ ସେମାନଙ୍କୁ ଆଉ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଲାଭ ମିଳିବ ନାହିଁ। କାରଣ ପ୍ରସ୍ତାବିତ ନିୟମଗୁଡ଼ିକରେ ଚାଷୀମାନଙ୍କୁ ନିର୍ଦିଷ୍ଟ ମୂଲ୍ୟର ଗ୍ୟାରେଣ୍ଟି ଦେବା ଲାଗି କୌଣସି ହିସାବ ବ୍ୟବସ୍ଥା କରାଯାଇନାହିଁ।
