କୋଲକାତା: ବର୍ତମାନ ଦେଶ ପାଇଁ ଏକ ମଜବୁତ ସରକାର ଆବଶ୍ୟକ । ମଜବୁତ ବା ନିଃସହାୟ ସରକାର ଦରକାର ନାହିଁ । କିନ୍ତୁ ବିରୋଧୀମାନେ କ୍ଷମତା ଲୋଭରେ ମେଂଟ କରି ଦେଶକୁ ଏକ ମଜବୁର ସରକାର ଭେଟିଦେବାକୁ ଚାହୁଛନ୍ତି । ଦୁର୍ଭାଗ୍ୟଜନକ ଭାବେ ପଶ୍ଚିମବଙ୍ଗ ମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମଜବୁର ମେଂଟକୁ ସମର୍ଥନ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିରୋଧୀ ସହିତ ମମତାଙ୍କୁ ଏଭଳି ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗର ରାଣାଘାଟରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କୁ ଉଦବୋଧନ ଦେଇ ମମତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । ମୋଦି କହିଛନ୍ତି ବିରୋଧୀମାନେ ଏକ ଟ୍ରେଣ୍ଡ ଆପଣାଇଛନ୍ତି । ସେମାନେ ନିଜ ପରାଜୟକୁ ବରଦାସ୍ତ ନ କରି ଇଭିଏମରେ ମଥା ପିଟୁଛନ୍ତି । ନିଜ ହାରକୁ ଲୁଚାଇବା ଉଦେ୍ଧଶ୍ୟରେ ସେମାନେ ଇଭିଏମ ଉପରେ ସବୁ ଦୋଷ ଲଦୁଛନ୍ତି । ଟିଏମସି ସୁପ୍ରିମା ମମତା ମଧ୍ୟ ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି । ଅନୁପ୍ରବେଶକାରୀଙ୍କ ବାବଦରେ ବୟାନ ଦେଇ ମୋଦି କହିଛନ୍ତି, ରାଜ୍ୟରେ ବେଆଇନ ଭାବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଆଶ୍ରୟ ଦିଆଯାଉଛି । ଭୋଟ ବ୍ୟାଙ୍କ ପାଇଁ ମମତା ଚୁପ ରହୁଛନ୍ତି । କିନ୍ତୁ ସାଧାରଣ ନିର୍ବାଚନ ପରେ ଏନଆରସି (ରାଷ୍ଟ୍ରୀୟ ନାଗରିକ ପଞ୍ଜିକା) ବଳରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଖୋଜିଖୋଜି ବାହାର କରାଯିବ । ଏହାଛଡା ରାଜ୍ୟବାସୀଙ୍କୁ ଠକିଥିବା ଚିଟ ଫଣ୍ଡ ଅପରାଧୀଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ମେ ୨୩ ନିର୍ବାଚନ ଫଳାଫଳ ବାହାରିବା ପରେ ଏ ବାବଦରେ ବଡ ନିଷ୍ପତି ନିଆଯିବ । ଚିଟଫଣ୍ଡ ନାମରେ ଗରିବଙ୍କୁ ଲୁଟିଥିବା ଲୋକଙ୍କୁ ସେମାନଙ୍କ ଜାଗା ଦେଖାଇ ଦିଆଯିବ ବୋଲି ମୋଦି କହିଛନ୍ତି । ମମତାଙ୍କୁ ସ୍ପିଡ ବ୍ରେକର ଦିଦି କହି କଟାକ୍ଷ କରିଛନ୍ତି । କେନ୍ଦ୍ରୀୟ ସ୍କିମଗୁଡିକୁ ସେ ଲୁଚାଇ ଏଥିରେ ଷ୍ଟିକର ଲଗାଉଛନ୍ତି । ନୂଆ ଷ୍ଟିକରରେ ଏହାକୁ ରାଜ୍ୟ ସ୍କିମ ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ତେଣୁ ଷ୍ଟିକର ଦିଦି ମଧ୍ୟ କୁହାଯାଇ ପାରିବ । ଗୁଣ୍ଡଗିରି, ହିସାଂକାଣ୍ଡ କରି ରାଜ୍ୟବାସୀଙ୍କୁ ମମତା ସରକାର ବହୁମାତ୍ରାରେ ଭୟଭୀତ କରି ରଖିଥିବା ମୋଦି ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ହୁଗଳି ଜିଲ୍ଲାରେ ଏକ ନିର୍ବାଚନୀ ସଭାରେ ମମତା ବାନାର୍ଜୀ ମୋଦୀ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ମୋଦି ବଳପୂର୍ବକ ନୋଟ ବନ୍ଦୀ ଘୋଷଣା କରିଥିଲେ । ଏହାଦ୍ୱାରା ମୋଦି ଓ ତାଙ୍କ ନେତାମାନେ ନିଜ ପାଖରେ ଥିବା କଳାଧନକୁ ଧଳା କରିବା ପାଇଁ ସୁଯୋଗ ପାଇଲେ । ନୋଟ ବନ୍ଦୀ ଦ୍ୱାରା କିଛି ଫାଇଦା ତ ହେଲାନାହିଁ ଏହାଦ୍ୱାରା କେବଳ ବିଜେପି ଫାଇଦାରେ ରହିଲା । ବିପୁଳ କଳାଟଙ୍କା ଙ୍କୁ ଧଳାରେ ପରିଣତ କରିବା ପରେ ଏବେ ସେହି ଟଙ୍କା ଦ୍ୱାରା ଭୋଟ କିଣାଚାଲିଛି ବୋଲି ମମତା କହିଛନ୍ତି ।
