ଭୁବନେଶ୍ୱର : ଜଗତସିଂହପୁରରେ ରୋଚକ ରାଜନୀତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଡାକ୍ତର ଦାମୋଦର ରାଉତ ବିଜେପି ଟିକେଟରେ ବାଲିକୁଦାରୁ ଲଢ଼ୁଥିବାବେଳେ ଅପରପକ୍ଷରେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡ଼ି ଟିକେଟରେ ଦାମଙ୍କ ଗଡ଼ ପାରାଦୀପରେ ଲଢ଼ୁଛନ୍ତି । ତେବେ ନବୀନଙ୍କୁ ହଟାଇବା ପାଇଁ ସଂକଳ୍ପ ନେଇଥିବା ଦାମବାବୁ ନିଜ ପୁଅଙ୍କ ବିରୋଧରେ ପ୍ରଚାର କରିବେ କି ବୋଲି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଥିଲା । ନିର୍ବାଚନ ପ୍ରଚାର ଆଉ ୨ ଦିନ ଥିବାବେଳେ ଦାମ ଏଯାଏଁ ପାରାଦୀପରେ ବିଜେପି ପାଇଁ ପ୍ରଚାର କରିନାହାନ୍ତି । ଏନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବାବେଳେ ଦାମ ଏହାର ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତିଯେ, ପାରାଦୀପ ବିଜେପି ପ୍ରାର୍ଥୀ ତାଙ୍କୁ ପ୍ରଚାରରେ ଡାକିଲେ ସେ ଯିବେ । ହେଲେ ସେହି ପ୍ରାର୍ଥୀ ତାଙ୍କୁ ଡାକୁନାହାନ୍ତି । ତେଣୁ ସେ ପ୍ରଚାରକୁ ଯିବେ କେମିତି ବୋଲି ଦାମ କହିଛନ୍ତି । ଅପରପକ୍ଷରେ ବିଜେପିର ମିଶନ ୧୨୦ ନେଇ ମଧ୍ୟ ସେ ସନେ୍ଦହ ପ୍ରକାଶ କରିଛନ୍ତି । ସେ କହିଛନ୍ତିଯେ, ବିଜେପିର ମାତ୍ର ୧୦ ବିଧାୟକ ଅଛନ୍ତି । ତେଣୁ ୧୨୦ ଆସନ ଜିତିବା ନେଇ ଡାକ୍ତର ଦାମୋଦର ରାଉତ ସନେ୍ଦହ ପ୍ରକାଶ କରିଛନ୍ତି । କିନ୍ତୁ ଅତୀତରେ ୧୦ ଆସନ ଜିତିଥିବା ଦଳ ବି ସରକାରକୁ ଫେରିଛି ବୋଲି ଦାମ ଇଙ୍ଗିତ ଦେବାକୁ ଭୁଲିନାହାନ୍ତି ।
