ଭୁବନେଶ୍ୱର: ବୈଦୁ୍ୟତିକ ଗଣମାଧ୍ୟମ ଓଟିଭିର ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପୁଲିସ ଉଠାଇ ନେଇଛି । ସମ୍ପୃକ୍ତ ସାମ୍ବାଦିକ ଜଣକ ହେଲେ ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥ । ରମେଶଙ୍କୁ ପୁଲିସ ତାଙ୍କ ଘର ପାଖରୁ ପୁଲିସ ଉଠାଇ ନେଇଥିବା ଜଣାଯାଇଛି । ୪ରୁ ୫ ଜଣ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା କୁହାଯାଇଛି । ରମେଶଙ୍କୁ ଗାଡ଼ିରେ ବସାଇ ପୁଲିସ କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇଥିବା ଜଣାଯାଇଛି । ଏମିତିକି ତାଙ୍କୁ ଫୋନଟିଏ କରିବାକୁ ବି ସୁଯୋଗ ଦିଆଯାଇନଥିବା କୁହାଯାଉଛି । ଏ ସମସ୍ତ ଘଟଣା ଓଟିଭିର ଜଣେ ବରିଷ୍ଠ ଉପସ୍ଥାପିକାଙ୍କ ସାମ୍ନାରେ ଘଟିଥିଲା । ସଂଯୋଗବଶତଃ ବରିଷ୍ଠ ଉପସ୍ଥାପିକା ଜଣକ ସେହି ରାସ୍ତାରେ ଆସୁଥିଲେ । ରମେଶଙ୍କୁ ପୁଲିସ ଟିମ ଭିଡ଼ି ଗାଡ଼ିରେ ନେଇଥିବା ଉପସ୍ଥାପିକା ଜଣକ କହିଛନ୍ତି । ତେବେ କେଉଁ କାରଣ ପାଇଁ ପୁଲିସ ରମେଶଙ୍କୁ ଉଠାଇ ନେଇଛି ସେ ସମ୍ପର୍କରେ ଖବରଲେଖା ସୁଦ୍ଧା କିଛି ଜଣାପଡ଼ିନାହିଁ । ଅପରପକ୍ଷରେ ଗତକାଲି ଓଟିଭିରେ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ସମ୍ପର୍କିତ ରିପୋର୍ଟ ପ୍ରସାରଣ ହୋଇଥିଲା । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା ଅନୁମାନ କରାଯାଉଛି ।
