ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଛି । ଏନେଇ ତାଙ୍କ ପୁଅ ରୋମିଓ ନନ୍ଦ ସୂଚନା ଦେଇଛନ୍ତି । ଗୁରୁପଦ ନନ୍ଦ କଂଗ୍ରେସ ଟିକେଟରେ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ସେ କଟକ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମଧ୍ୟ ଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
