ମିରଟ: ଦାଢି ରଖିବା ବେଶ୍ ମହଙ୍ଗା ପଡିଛି ଜଣେ ପୋଲିସ୍ ଅଧିକାରୀଙ୍କୁ । ବିନା ଅନୁମତିରେ ଦାଢି ରଖିଥିବା ଜଣେ ଏସ୍ଆଇଙ୍କୁ ଚାକିରିରୁ ନିଲମ୍ବିତ ହେବାକୁ ପଡିଛି । ସହାରନପୁର ନିବାସୀ ଇନ୍ତସାର୍ ଅଲ୍ଲୀ ୟୁପି ପୋଲିସ୍ ବିଭାଗରେ ଜଣେ ଏସ୍ଆଇ ରୂପେ କାର୍ୟ୍ୟରତ ଥିଲେ । ଗତ ତିନି ବର୍ଷ ହେବ ସେ ସେହି ଜିଲ୍ଲାରେ କାର୍ୟ୍ୟକରୁଥିଲେ । ଲକ୍ଡାଉନ୍ ପୂର୍ବରୁ ତାଙ୍କୁ ରମାଲା ଥାନାରେ ନିଯୁକ୍ତ କରାଯାଇଥିଲା । ଇନ୍ତସାର୍ ପୋଲିସ୍ ବିଭାଗର ନିୟମ ବିପରୀତ ଲମ୍ବା ଦାଢି ରଖିବାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ଏସ୍ପିଙ୍କ କହିବାନୁସାରେ କେବଳ ଶିଖ୍ ସମ୍ପ୍ରଦାୟର ପୋଲିସ୍ କର୍ମୀଙ୍କୁ ଛାଡି ଅନ୍ୟ ସମସ୍ତ ଦାଢି ରଖିବା ପାଇଁ ବିଭାଗୀୟ ଅନୁମତି ନେବା ଆବଶ୍ୟକ । ଏସ୍ଆଇ ଇନ୍ତସାର୍ ଅଲ୍ଲୀଙ୍କୁ ଦୁଇ ଦୁଇଥର ଏନେଇ ଅନୁମତି ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । କିନ୍ତୁ ସେ ଅନୁମତି ନେଇନଥିଲେ । ଲଗାତାର ବିଭାଗୀୟ ନିୟମକୁ ଅଣଦେଖା କରିବାକୁ ଏସଆଇଙ୍କୁ ନିଲମ୍ବିତ କରାଯାଇଛି । ଅପରପକ୍ଷରେ ଏସ୍ଆଇ ଇନ୍ତସାର୍ ଅଲ୍ଲୀ କହିଛନ୍ତି ଯେ, ସେ ୨୦୧୯ ନଭେମ୍ବରରୁ ଅନୁମତି ନେବା ନେଇ ପ୍ରୟାସ କରିଛନ୍ତି । କିନ୍ତୁ ଏପର୍ୟ୍ୟନ୍ତ ବିଭାଗ ତାଙ୍କୁ ଅନୁମତି ଦେଇନାହିଁ ।
