ଫାଇଜର କରୋନା ଟୀକା ୯୦% ଫଳପ୍ରଦ

ଫାଇଜର କରୋନା ଟୀକା ୯୦% ଫଳପ୍ରଦ

ଜାତୀୟ ଖବର

ନୂଆଦିଲ୍ଲୀ : କରୋନା ଟୀକା ନେଇ ବହୁ ଦେଶରେ ଗବେଷଣା ଜାରି ରହିଥିବାବେଳେ ଫାଇଜର ଓ ବାଇଓଏନଟେକ ଦ୍ୱାରା ପ୍ରସ୍ତୁତ ଟୀକା ୯୦% ଫଳପ୍ରଦ ବୋଲି ଜଣାପଡ଼ିଛି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଫାଇଜର ଏହି ଦାବି କରିଛି । ପୂର୍ବରୁ ଋଷ କରୋନା ଟୀକା ବାହାର କରିଥିଲେବି ତାହା ସେତେଟା ପ୍ରଭାବୀ ଓ ଫଳପ୍ରଦ ହୋଇପାରିନାହିଁ । ଫଳରେ ଫାଇଜର ଟୀକା ନୂଆ ଆଶା ସୃଷ୍ଟି କରିଛି ବୋଲି ଗବେଷକମାନେ ମତପୋଷଣ କରିଛନ୍ତି । ଫାଇଜର ଓ ବାଇଓଏନଟେକ ଦ୍ୱାରା ପ୍ରସ୍ତୁତ ଏହି ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଆମେରିକା ଓ ଅନ୍ୟ ୫ ଦେଶର ୪୪ ହଜାର ଲୋକଙ୍କୁ ପଞ୍ଜୀକୃତ କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ କୌଣସି କରୋନା ଟୀକା ଶତ ପ୍ରତିଶତ ଫଳପ୍ରଦ ହୋଇପାରିବ ନାହିଁ । ଅପରପକ୍ଷରେ ତୃତୀୟ ପର୍ଯ୍ୟାୟରେ ୫୦% ଫଳପ୍ରଦ ଟୀକାକୁ ବ୍ୟବସାୟ ପାଇଁ ଅନୁମତି ଦିଆଯାଇପାରିବ ବୋଲି ଆମେରିକା ଖାଦ୍ୟ ଓ ଡ୍ରଗ୍ସ ବିଭାଗ ମାନଦଣ୍ଡ ପ୍ରସ୍ତୁତ କରିଛି । ଫଳରେ ଫାଇଜର ଦ୍ୱାରା ପ୍ରସ୍ତୁତ ଟୀକାକୁ ଅନୁମତି ମିଳିବା ନିଶ୍ଚିତ ହୋଇଯାଇଛି । ପରୀକ୍ଷଣ ବେଳେ ଯେଉଁମାନେ ଦୁଇ ଡୋଜ ଟୀକା ନେଇଥିଲେ ସେମାନଙ୍କ ଠାରେ କରୋନା ଭୂତାଣୁ ପ୍ରବେଶ କରିପାରିନଥିଲା । ତେଣୁ କୋଭିଡ଼-୧୯କୁ ପ୍ରତିହତ ପାଇଁ ଏହି ଟୀକା ସକ୍ଷମ ବୋଲି ଫାଇଜରର ଅଧ୍ୟକ୍ଷ ତଥା ସିଇଓ ଆଲବର୍ଟ ବୌରଲା ପ୍ରକାଶ କରିଛନ୍ତି । ତେବେ ଅନ୍ୟ ଏକ ସୂତ୍ର ଅନୁଯାୟୀ ଏହି ଟୀକା ପ୍ରଥମେ ଆମେରିକାରେ ହିଁ ଉପଲବ୍ଧ ହେବ । ଯଦି ତୁରନ୍ତ କମ୍ପାନୀକୁ ଅନୁମତି ମିଳେ ୨୦୨୦ ସୁଦ୍ଧା କମ୍ପାନୀ ୪ କୋଟି ଡୋଜ ପ୍ରସ୍ତୁତ କରିବାକୁ ସକ୍ଷମ ହେବବୋଲି ବୌରଲା କହିଛନ୍ତି । ଅପରପକ୍ଷରେ ଚଳିତ ମାସ ଶେଷ ସୁଦ୍ଧା ମଡ଼ର୍ଣ୍ଣା ମଧ୍ୟ ଟୀକା ପ୍ରସ୍ତୁତି ପାଇଁ ଅନୁମତି ଆଣିବାକୁ ଆବେଦନ କରିବ ବୋଲି ସୂଚନା ଦେଇଛି ।