ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟରେ ଅଦଳବଦଳ ସମ୍ଭାବନା ରହିଛି । ତେବେ ମୋଦିଙ୍କ କ୍ୟାବିନେଟରେ କିଏ ସ୍ଥାନ ପାଇବ ଏବଂ କିଏ ବାଦ ପଡ଼ିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏହା ମଧ୍ୟରେ ବିହାର ନିର୍ବାଚନ ଶେଷ ହୋଇଛି । ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମାତ୍ର ବିହାର ବିଜେପିର ପ୍ରମୁଖ ନେତା ସୁଶୀଲ କୁମାର ମୋଦି ନୀତୀଶ ସରକାରରେ ସ୍ଥାନ ପାଇନାହାନ୍ତି । ତାଙ୍କର ଏଥର ଉପମୁଖ୍ୟମନ୍ତ୍ରୀ ଭାବେ ନିଆଯାଇନାହିଁ । ସୁଶୀଲ ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବା ନେଇ ଆଲୋଚନା ହେଉଛି । ଏହା ବ୍ୟତୀତ ଜେଡିୟୁକୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାକୁ ବିଜେପି ଗୁରୁତ୍ୱାରୋପ କରିବ । ସେହିଭଳି ମଧ୍ୟପ୍ରଦେଶରେ କମଳନାଥ ସରକାରକୁ କ୍ଷମତାଚୁ୍ୟତ କରିବାରେ ସହାୟକ ହୋଇଥିବା ପୂର୍ବତନ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବିଜେପି ପୁରସ୍କୃତ କରିବାକୁ ଚାହୁଁଛି । ନିକଟରେ ଶେଷ ହୋଇଥିବା ମଧ୍ୟପ୍ରଦେଶ ଉପନିର୍ବାଚନରେ ମଧ୍ୟ ବିଜେପି ଅତିଭଲ ଫଳାଫଳ ପ୍ରଦର୍ଶନ କରିଛି । ଏହାର ଶ୍ରେୟ ମଧ୍ୟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କିଛି ମାତ୍ରାରେ ଯାଉଛି । ଗତ ଉପନିର୍ବାଚନରେ ମଧ୍ୟପ୍ରଦେଶରେ ବିଜେପି ମୋଟ ୨୮ଟି ଆସନରୁ ୧୯ଟିରେ ବିଜୟୀ ହୋଇଛି । ଏଣୁ ଜ୍ୟୋତିରାଦିତ୍ୟଙ୍କୁ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ମିଳିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଆସାମରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବା ହିମନ୍ତ ବିଶ୍ୱ ଶର୍ମାଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବ ବୋଲି ଚର୍ଚ୍ଚା ହେଉଛି ।
