ଅକ୍ସଫୋର୍ଡ ଟିକା ୯୦% ପ୍ରଭାବୀ ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଖୁସି ଖବର । ଭାରତରେ ପରୀକ୍ଷା ଚାଲିଥିବା ଅକ୍ସଫୋର୍ଡ ଟିକା ‘କୋଭାସିଲଡ’ ୯୦% ପର୍ଯ୍ୟନ୍ତ ପ୍ରଭାବୀ ବୋଲି ଜାଣିବାକୁ ମିଳିଛି । ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ପକ୍ଷରୁ ଜାରି ଏକ ବିବୃତିରୁ ଏହି ସୂଚନା ମିଳିଛି । ବିବୃତି ଦର୍ଶାଇଛି ଯେ ଅକ୍ସଫୋର୍ଡ ଟିକା (ଏଜେଡଡି୧୨୨୨) ବେଶ ପ୍ରଭାବୀ ହୋଇଛି । ବି୍ରଟେନ ଓ ବ୍ରାଜିଲରେ ଏହାର ପରୀକ୍ଷା ଫଳ ଆଶାଜନକ ରହିଛି । ଅଧା ଡୋଜ ଦିଆଯିବା ପରେ ଟିକା ୯୦% ପର୍ଯ୍ୟନ୍ତ ପ୍ରଭାବୀ ପ୍ରମାଣିତ ହୋଇଥିଲା । ଦୁଇ ମାସ ପରେ ସମ୍ପୂର୍ଣ୍ଣ ଡୋଜ ଦିଆଯିବାରୁ ଟିକାଟି ୭୦% ପ୍ରଭାବୀ ହୋଇଛି । ସେହି ଦୃଷ୍ଟିରୁ ଭାରତରେ ମଧ୍ୟ ଏହି ଟିକା କୋଭାସିଲ୍ଡ ୯୦% ପ୍ରଭାବୀ ହେବ ବୋଲି ଆଶା କରାଯାଉଛି । ସେରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ ଦ୍ୱାରା ଭାରତରେ ଏହାର ପରୀକ୍ଷଣ ଜାରି ରହିଛି । ଏସଆଇଆଇ ସିଇଓ ଆଦର ପୁନୱାଲାଙ୍କ ମୁତାବକ ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଅକ୍ସଫୋର୍ଡ ଟିକା ଭାରତରେ ଉପଲବ୍ଧ ହେବ । ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ଟିକାଟି ୯୦% ସଫଳ ହୋଇଛି । ଭାରତରେ ବ୍ୟବହାର ପାଇଁ ୪ କୋଟି ଡୋଜ ପ୍ରସ୍ତୁତ ହୋଇ ରହିଛି । ଜାନୁଆରୀ ସୁଦ୍ଧା ଦେଶକୁ ୧୦ କୋଟି ଡୋଜ ମିଳିବ । ବି୍ରଟେନ ସରକାର ଏହାକୁ ଅନୁମୋଦନ କରିବା ପରେ ଭାରତ ସରକାର ମଞ୍ଜୁରି ଦେବେ ବୋଲି ଆଶା ।
