ବିଜୟ ନା ସାବିତ୍ରୀ : କାହାକୁ ସମର୍ଥନ କରିବେ ସରୋଜ ସାହୁ ?

ବିଜୟ ନା ସାବିତ୍ରୀ : କାହାକୁ ସମର୍ଥନ କରିବେ ସରୋଜ ସାହୁ ?

ରାଜନୀତି

ଭୁବନେଶ୍ୱର : ପାଟକୁରା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ବିଶେଷକରି ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁଙ୍କ ଆଭିମୁଖ୍ୟ ନେଇ ଚର୍ଚ୍ଚା ଜୋରଧରିଛି । ବେଦପ୍ରକାଶ ଅଗ୍ରୱାଲଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ବିଜେଡ଼ି ଛାଡ଼ି ବିଜେପି ଯାଇଥିବା ସରୋଜ ପରେ କିନ୍ତୁ ବିଜେଡ଼ିକୁ ଫେରିଥିଲେ । ନବୀନ ନିବାସରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସବୁଜ ରଙ୍ଗର ଶଙ୍ଖ ମାର୍କା ଉତରୀୟ ପକାଇ ଫଟୋ ପୋଜ ଦେଇଥିଲେ । କିନ୍ତୁ ପାଟକୁରା ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ସରୋଜ ଉପସ୍ଥିତ ନଥିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବେଦ ପ୍ରକାଶ ଅଗ୍ରୱାଲଙ୍କୁ ବିରୋଧ କରି ସରୋଜ ପୂର୍ବରୁ ମେଳି କରିଥିଲେ । ଏମିତିକି ବେଦୁଙ୍କୁ ଟିକେଟ ଦେଲେ ବିଜେଡ଼ିକୁ ଅସହଯୋଗ କରାଯିବ ବୋଲି ଚେତାବନୀ ଦେଇଥିଲେ । ପାଟକୁରା ନିର୍ବାଚନମଣ୍ଡଳୀର ମାଟିର ପୁଅ କାହାକୁ ବିଜେଡ଼ି ଟିକେଟ ମିଳୁ ବୋଲି ସେ ପାଟକୁରା ସ୍ୱାଭିମାନ ମଂଚ ନାମରେ ଆନେ୍ଦାଳନ ଚଳାଇଥିଲେ । ସେ ନିଜେ ମଧ୍ୟ ବିଜେଡ଼ି ଟିକେଟ ଆଶାୟୀ ଥିଲେ । ସେ ଅସନ୍ତୁଷ୍ଟ ରହିବା ସହ ବିଜେପି ଆଡ଼କୁ ମୁହାଁଉଥିବାରୁ ବିଜେଡ଼ି ପକ୍ଷରୁ ତାଙ୍କୁ ଥୋପ ଦେବାକୁ ପ୍ରୟାସ କରାଯାଇଥିଲା । ଦଳର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ପରେପରେ ସେ ଓ ତାଙ୍କର ସମର୍ଥକମାନେ ବିଜେପିରେ ସାମିଲ ହୋଇଥିଲେ । ତେବେ ହଠାତ ସରୋଜଙ୍କର ଗତିପଥ ବଦଳି ଯାଇଥିଲା । ସାବିତ୍ରୀଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିବା ବେଳେ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଫଳରେ ପୁଣି ସରୋଜ ବିଜେଡ଼ି ମୁହାଁ ହୋଇଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହାକୁ ନେଇ ତାଙ୍କର ସମର୍ଥକମାନେ କିନ୍ତୁ କ୍ଷୁବ୍ଧ ଥିଲେ । ଯେଉଁଥିପାଇଁ ସେ ସାବିତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ ବେଳେ ଅନୁପସ୍ଥିତ ରହିଥିବା କୁହାଯାଉଛି ।