ଭୁବନେଶ୍ୱର: ଓଡ଼ିଶାର ଆଉ ୪ଟି ବ୍ଲୁ ଫ୍ଲାଗ ବିଚ ଖୋଲିବ । ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ଅନ୍ତର୍ଜାତୀୟ ସୁବିଧା ଉପଲବ୍ଧ ହେବ । ପୁରୀ ବେଳାଭୂମିକୁ ଓଡ଼ିଶାର ପ୍ରଥମ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିଥିଲା । ୨୦୨୧ ଶେଷ ସୁଦ୍ଧା ରାଜ୍ୟର ଆଉ ୪ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପଦକ ପାଇଁ ଯୋଜନା ଆରମ୍ଭ ହୋଇଛି । ଏହି ତାଲିକାରେ ପୁରୀ ମୁହାଣ ବିଚ, ବାଙ୍କୀ ମୁହାଣ ବେଳାଭୂମି ରହିଥିବା ବେଳେ ଗଞ୍ଜାମର ହରିପୁର ଏବଂ ସୁନାପୁର ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ଆରମ୍ଭ କରାଯିବାର ଯୋଜନା ରହିଛି ବୋଲି ପର୍ଯ୍ୟଟନ ବିଭାଗ ନିଦେ୍ର୍ଧଶକ ସଚିନ ଆର ଯାଦବ ସୂଚନା ଦେଇଛନ୍ତି । ଓଡ଼ିଶାର ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପର୍ଯ୍ୟଟନ ବିଭାଗ ଯୋଜନା କରୁଛି । ପର୍ଯ୍ୟଟନଙ୍କ ଆଗମନ ବଢ଼ିଲେ ଓଡ଼ିଶାର ଆର୍ଥିକ ସ୍ଥିତି ସୁଧୁରି ପାରିବ । ଓଡ଼ିଶାକୁ ଯେପରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ସେଥିନେଇ ଏଭଳି ନିଆରା ଯୋଜନା କରାଯାଉଛି । ଏହି ବ୍ଲୁ ଫ୍ଲାଗ ବିଚ ମାଧ୍ୟମରେ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଅଧିକ ଆକୃଷ୍ଟ କରିହେବ । ସେଥିନେଇ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୨୧ ସୁଦ୍ଧା ୪ଟି ନୂଆ ସ୍ଥାନରେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା । ଇତିମଧ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କିଛି ବିଶେଷଜ୍ଞମାନେ ଗଞ୍ଜାମର ଦୁଇଟି ବେଳାଭୂମିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଠାରେ ପୁରୀ ବ୍ଲୁ ଫ୍ଲାଗ ବିଚ ଭଳି ସୁବିଧା ପର୍ଯ୍ୟଟକଙ୍କୁ ମିଳିବ ।
