ପାଟକୁରା ନିର୍ବାଚନ ଘୁଂଚିବା ପଛରେ କିଏ ?

ପାଟକୁରା ନିର୍ବାଚନ ଘୁଂଚିବା ପଛରେ କିଏ ?

ରାଜନୀତି

ଭୁବନେଶ୍ୱର : ଏକଦା ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଉଥିବା ବିଜୟ ମହାପାତ୍ର ଦୁଇ ଦଶନ୍ଧି ଧରି ରାଜନୈତିକ ଅଭିଶପ୍ତ ଜୀବନ ଜୀଉଁଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ । ବାରବାର ଧୋକ୍କା ଓ ପ୍ରତାରଣାର ଶିକାର ହେଉଥିବା ବିଜୟଙ୍କ ପାଇଁ ଅନେକ ଷଡ଼ଯନ୍ତ୍ର ଓ ଚକ୍ରବୁ୍ୟହ ରଚାଯାଇଛି । ରାଜନୀତିକ ମଇଦାନର ଜଣେ ଲଢ଼ୁଆ ଯୋଦ୍ଧା ହୋଇଥିଲେ ବି ଚକ୍ରାନ୍ତ ଓ ଷଡ଼ଯନ୍ତ୍ରର ଅନ୍ଧାରି ଗୁହାରେ କିନ୍ତୁ ସେ ସର୍ବଦା ଫସିଯାଇଛନ୍ତି । ପ୍ରତି ନିର୍ବାଚନ ଆସିଲେ ବିଜୟଙ୍କ ପାଇଁ ରାଜନୀତିର ସମସ୍ତ ଅଳିନ୍ଦରେ ଅନୁକମ୍ପାର ବଳୟ ସିନା ସୃଷ୍ଟି ହୁଏ ହେଲେ ବିଜେଡ଼ିର ରାଜନୀତିକ ଘୂର୍ଣ୍ଣିବଳୟ ଭିତରୁ ସେ କିନ୍ତୁ ଉତୁରି ପାରନ୍ତି ନାହିଁ । ୨୦୦୦ରୁ ୨୦୧୪ ଯାଏଁ ସମସ୍ତେ ଏହାର ମୂକସାକ୍ଷୀ । ତେବେ ୨୦୧୯ ନିର୍ବାଚନ କିନ୍ତୁ ବିଜୟଙ୍କୁ ଏକ ନୂଆ ଦିଶା ଦର୍ଶାଇବ ବୋଲି ମନେ କରାଯାଉଥିଲା । ସ୍ଥିତି ବି ଅନୁକୂଳ ଥିଲା, ଭୋଟରମାନେ ବି ‘ବିଜୟ’ ମୁହାଁ ହୋଇଥିଲେ । ହେଲେ ରାଜ୍ୟ ରାଜନୀତିର ଦୁଇ ଧୂରୀଣ ନେତାଙ୍କ ଚକ୍ରବୁ୍ୟହରେ ପୁଣି ବିଜୟଙ୍କ ବିଜୟ ରଥ ଫସିଯାଇଛି । ଯୁଦ୍ଧରେ ସେ ଜିତିବେ କି ନାହିଁ ତାହା ତ ଭିନ୍ନ କଥା, ହେଲେ ବିଜୟଙ୍କ ବିଜୟ ରଥଯେ, ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ଯେକେହିବି ମୁକ୍ତ କଣ୍ଠରେ ଏହା ସ୍ୱୀକାର କରିବାକୁ ବାଧ୍ୟ ହେବେ । ଏବେ ଆସିବା ପାଟକୁରା ନିର୍ବାଚନ ସ୍ଥଗିତ ପ୍ରସଙ୍ଗକୁ । ବେଦପ୍ରକାଶ ଅଗ୍ରୱାଲଙ୍କ ମୃତୁ୍ୟ ପାଇଁ ପାଟକୁରା ନିର୍ବାଚନ ମେ’ ୧୯ ଯାଏଁ ଘୁଂଚି ଯାଇଥିଲା । ତେବେ ହଠାତ ଖବର ମିଳିଲା ସାମୁଦ୍ରିକ ବାତ୍ୟା ଫନି ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ିଆସୁଛି । ସହସା ମୁଖ୍ୟମନ୍ତ୍ରୀ ଦିଲ୍ଳୀ ଚାଲିଲେ । ଗୋଟିଏ ପଟେ ବାତ୍ୟା ରାଜ୍ୟକୁ ମାଡ଼ି ଆସୁଥିବାବେଳେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କର ଗୋଟିଏ ଚିନ୍ତା ଥିଲା । ତାହା ହେଉଛି ପାଟକୁରା । ନିର୍ବାଚନ କମିଶନଙ୍କୁ ଭେଟି ସିଧା ସିଧା କହିଲେ, ବାତ୍ୟା ରାଜନଗର ନିକଟରେ ମାଡ଼ ହେବ । କେନ୍ଦ୍ରାପଡ଼ା ବହୁଳ ଭାବେ କ୍ଷତିଗ୍ରସ୍ତ ହେବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛନ୍ତି ନବୀନ ଓ ତାଙ୍କ କୋଟରୀ ବ୍ୟତୀତ ଫନି ପାଇଁ କେନ୍ଦ୍ରାପଡ଼ା ବିଶେଷ କ୍ଷତିଗ୍ରସ୍ତ ହେବବୋଲି ଆଉ କେହି ବି ପୂର୍ବାନୁମାନ କରିନଥିଲେ । ଏଠାରେ ଆଉ ଏକ କଥା ସୂଚାଇ ଦିଆଯାଇପାରେ, ଯେଉଁଦିନ ନବୀନ ଦିଲ୍ଲୀ ଯାଇଥିଲେ ସେଦିନ ଦିଲ୍ଲୀ ବିମାନବନ୍ଦରରେ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ୨୦୧୯ର ଦୁଇ ଭାବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଭେଟ ହୋଇଥିଲେ । ତେବେ ଏହି ଭେଟଭାଟ ନମସ୍କାର ଓ ପ୍ରତି ନମସ୍କାର ମଧ୍ୟରେ ସୀମିତ ନଥିଲା । ବରଂ ବ୍ୟାଟେରୀ ଗାଡ଼ିରେ ଦୁଇ ନେତା ବସି ବାହାରକୁ ବାହାରିଥିଲେ । ସହର୍ଷ ବଦନରେ ଧର୍ମେନ୍ଦ୍ର ମେଲାଣି ମଧ୍ୟ ଦେଇଥିଲେ । ନିର୍ବାଚନ କମିଶନଙ୍କ ନିକଟରେ ପାଟକୁରା ନିର୍ବାଚନ ଘୁଂଚାଇବାକୁ ନବୀନ ଅନୁରୋଧ କରିବା ବେଳକୁ ଧର୍ମେନ୍ଦ୍ର ଓ ନବୀନଙ୍କ ମିଳନର ଫଟୋ ଭାଇରାଲ ହୋଇ ସାରିଥିଲା । ପରେପରେ ଧର୍ମେନ୍ଦ୍ର ମଧ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପହଁଚିଥିଲେ । କେତେକ ବୁଥରେ ସାନି ନିର୍ବାଚନ ପାଇଁ ଦାବି କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ହାରିବା ଭୟରେ ପାଟକୁରା ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି ସେ କହିଥିଲେ । ଆଶା କରାଯାଉଥିଲା କେନ୍ଦ୍ରାପଡ଼ାରେ ବିଶେଷ କ୍ଷତି ହୋଇନଥିବାରୁ ନିର୍ବାଚନ ପ୍ରାକ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଚାଲିବ । କିନ୍ତୁ ହଠାତ ନିର୍ବାଚନ କମିଶନ ପାଟକୁରା ନିର୍ବାଚନକୁ ଦୁଇ ମାସ ଘୁଂଚାଇ ଦେଲେ । ଆଉ ସବୁଠାରୁ ମଜାର କଥା ହେଉଛି ନିର୍ବାଚନ କମିଶନଙ୍କ ଏହି ବିଜ୍ଞପ୍ତି ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ବୋଲାଉଥିବା ନେତା ହିଁ ବାଂଟିଥିଲେ । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାର ପ୍ରେସବିଜ୍ଞପ୍ତି ସହ ସାମ୍ବାଦିକଙ୍କ ହାତରେ ପାଟକୁରା ନିର୍ବାଚନ ଘୁଂଚିବା ବିଜ୍ଞପ୍ତି ପ୍ରଦାନ କରାଯାଇଥିଲା । ଏହାର ଉଦେ୍ଧଶ୍ୟ କ’ଣ ତାହା ବୁଝାଇ କହିବାର ଆବଶ୍ୟକତା ନାହିଁ । ଏଭଳି ସନ୍ଦିକ୍ଷଣରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ନିର୍ବାଚନ ପାଇଁ ଆହୁରି ଦୁଇ ସପ୍ତାହ ସମୟ ରହିଥିଲା । ସପ୍ତାହକ ଭିତରେ ସ୍ଥିତି ପୁଣି ସ୍ୱାଭାବିକ ହୋଇଯାଇଥା’ନ୍ତା । ତଥାପିବି ଏତେ ତରବରିଆ ନିଷ୍ପତି ନିଆଗଲା କାହିଁକି ? ଗାଏମୋଟ କହିଲେ, ରାଜ୍ୟ ରାଜନୀତିକୁ ଅତି ନିକଟରୁ ଦେଖିଥିବା ନେତା ଓ ଜନତା ଏକଥା ସ୍ୱୀକାର କରିବେଯେ, ଉଭୟ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନ ଜଣିଏ ନେତାଙ୍କୁ ନିଜର ଶତ୍ରୁ ବୋଲି ବିବେଚନା କରୁଛନ୍ତି । ସେହି ନେତା ଜଣକ ହେଉଛନ୍ତି କେବଳ ବିଜୟ ମହାପାତ୍ର । ବିଜେଡ଼ିରେ ଆଗକୁ ବଢ଼ିବା ପୂର୍ବରୁ ନବୀନ ବିଜୟଙ୍କ ଡେଣା କାଟି ଦେଇଥିବାବେଳେ ବିଜେପିରେ ଦବଦବା ଜାହିର କରିବା ପୂର୍ବରୁ ବିଜୟଙ୍କ ରାସ୍ତାରେ ହମ୍ପସ ହୋଇ ଠିଆ ହୋଇଥିଲେ ଧର୍ମେନ୍ଦ୍ର । ଏସବୁ ଭିତରେ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ? ବୈଜୟନ୍ତ ପଣ୍ଡାଙ୍କ ସହଯୋଗରେ ନବୀନ ଓ ଧର୍ମେନ୍ଦ୍ରଙ୍କ ଚକ୍ରବୁ୍ୟହରୁ ବିଜୟ ମହାପାତ୍ର ମୁକୁଳିଯିବେ ତ ?