ଜାମ୍ମୁ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ଇମାମ ସାହିର କନିଗାମ୍ ଗାଁରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କନିଗାମ୍ ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସେନା ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଗାଁ ନିକଟ ଏକ ସେଓ ବଗିଚାରେ ଆତଙ୍କବାଦୀମାନେ ଲୁଚି ରହିଥିଲେ। ଯବାନମାନେ ଏହା ଜାଣିବା ପରେ ଉକ୍ତ ଅଞ୍ଚଳକୁ ଘେରାଉ କରି ସିଲ୍ କରିଦେଇଥିଲେ। ଆତଙ୍କବାଦୀମାନେ ଫସିଯିବା ପରେ ସେନା ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା। ରାତିରେ ଆତଙ୍କବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ। ଉକ୍ତ ଆତଙ୍କବାଦୀମାନେ ସ୍ଥାନୀୟ ଅଲ୍ ବଦର ସଂଗଠନର ବୋଲି ଜଣାପଡ଼ିଛି। ଆଉ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବାରୁ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।
