ଶ୍ରୀନଗର: ସୀମାରେ ଏବେ ବଡ଼ ଉତ୍ତେଜନା ସୃଷ୍ଟି ପାଇଁ ପାକିସ୍ତାନ ପ୍ରୟାସ କରୁଛି ଏବଂ ୨୫୦ ରୁ ଅଧିକ ଆତଙ୍କବାଦୀ ପାକ ଅଧିକୃତ କାଶ୍ମୀରରେ ଲଞ୍ଚ ପ୍ୟାଡରେ ରହିଛନ୍ତି । ଏହି ଆତଙ୍କବାଦୀଙ୍କୁ ପାକିସ୍ତାନ ସେନା ଭାରତରେ ପ୍ରବେଶ କରାଇବା ପାଇଁ ଯୋଜନା କରୁଥିବାରୁ ଏହାକୁ ନେଇ ଆଗାମୀ ଦିନରେ ଏଲଓସିରେ ଉତ୍ତେଜନା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ଜମ୍ମୁ କାଶ୍ମୀରରେ ଡିଡିସି ନିର୍ବାଚନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବାରୁ ଆତଙ୍କବାଦୀ ସଂଗଠନ ଗୁଡିକର ହତାଶା ବଢ଼ିଯାଇଛି ଏବଂ ପାକିସ୍ତାନ ସେନା କାଶ୍ମୀରରେ ବଡ଼ ହିଂସା ପାଇଁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଏବେ ଫୋକସ କରୁଛି । ପାକିସ୍ତାନର ରାଜନୈତିକ ଅସ୍ଥିରତା ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ୧୧ଟି ଦଳର ମିଳିତ ମଞ୍ଚ ପକ୍ଷରୁ ପ୍ରବଳ ଚାପ ସୃଷ୍ଟି କରାଯାଉଥିବାରୁ ଏଥିରୁ ଦୃଷ୍ଟି ଏଡାଇବା ପାଇଁ ପାକିସ୍ତାନ ଏବେ ସୀମାରେ ଉତ୍ତେଜନା ବଢ଼ାଇବାକୁ ଚାହୁଁଛି । ତେବେ ଭାରତୀୟ ସେନା ପାକିସ୍ତାନର ପ୍ରତ୍ୟେକ ଷଡଯନ୍ତ୍ରକୁ ପଣ୍ଡ କରିବା ସହ ଅସ୍ତ୍ର ବିରତି ଉଲ୍ଲଂଘନରେ କଡ଼ା ଜବାବ ଦେଉଛି । ଅନୁପ୍ରବେଶ ରୋକିବା ପାଇଁ ଭାରତ ବ୍ୟାପକ ସତର୍କତା ପଦେକ୍ଷପ ମଧ୍ୟ ଗ୍ରହଣ କରୁଛି ।
