ଭୁବନେଶ୍ୱର : ‘କେନ୍ଦ୍ର ସରକାର ଗଠନରେ ଆମେ ପ୍ରମୁଖ ଭୂମିକା ଗ୍ରହଣ କରିବୁ ।’ ନିର୍ବାଚନୀ ପ୍ରଚାର ବେଳେ ବାରବାର ଏକଥାକୁ ଦୋହରାଉଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସେତେବେଳେ ଅନେକ ଏହାକୁ ହାସ୍ୟାସ୍ପଦ ବୋଲି କହିବାକୁ ବି ପଛେଇ ନଥିଲେ । ତେବେ ଭୋଟ ଗଣତି ସମୟ ଯେତେ ପାଖେଇ ଆସୁଛି ନବୀନଙ୍କ ଭାଉ ସେତେ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । ୨୦୧୯ରେ କିଏ ଦିଲ୍ଲୀରେ ଆଉ କିଏ ଓଡ଼ିଶାରେ ସରକାର ଗଢ଼ିବ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଗୋଟିଏ ପଟେ ନରେନ୍ଦ୍ର ମୋଦି ପୁଣି ଥରେ ନିଶ୍ଚିତ କ୍ଷମତାକୁ ଆସିବେ ବୋଲି ବିଜେପି ଦୃଢେ଼ାକ୍ତି ପ୍ରକାଶ କରିଛି । ଅପରପକ୍ଷରେ କଂଗ୍ରେସ ଓ ଅନ୍ୟ ଦଳଗୁଡ଼ିକ ମଧ୍ୟ ଆଶା ଛାଡ଼ିନାହାନ୍ତି । ୨୦୧୪ ଭଳି ୨୦୧୯ରେ ବିଜେପି ପ୍ରମୁଖ ରାଜ୍ୟରେ ଭଲ ପ୍ରଦର୍ଶନ କରିପାରିବନି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେଣୁ ବିଜେପି ବିରୋଧରେ ସମସ୍ତ ବିରୋଧୀ ଦଳ ଏକାଠି ହେଉଥିବା ଲକ୍ଷ୍ୟ କରାଯାଉଛି । ମେ’ ୨୩ରେ ଭୋଟ ଗଣତି ହେବ । କିନ୍ତୁ ଏହା ପୂର୍ବରୁ ନୂଆ ସହଯୋଗୀ ସନ୍ଧାନରେ ଅନ୍ୟମାନେ ଲାଗି ପଡ଼ିଛନ୍ତି । ଇତିମଧ୍ୟରେ ବିଜେଡ଼ି ସହ ବିଜେପିର କେତେକ ନେତା ବି ଯୋଗସୂତ୍ରରେ ରହିଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମରେ ହେଉଥିବା ସଦ୍ୟତମ ଚର୍ଚ୍ଚା ଅନୁଯାୟୀ କଂଗ୍ରେସ ବି ବିଜେଡ଼ି ସହ ଆଲୋଚନା ଆରମ୍ଭ କରିଦେଇଛି । ନବୀନ ପଟ୍ଟନାୟକଙ୍କ ଡୁନ ବନ୍ଧୁ ତଥା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏନେଇ ନବୀନଙ୍କ ସହ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି । ଖାଲି ନବୀନ ନୁହଁନ୍ତି ଆନ୍ଧ୍ରରେ ୱାଇଏସଆର କଂଗ୍ରେସ ଓ ତେଲେଙ୍ଗାନାରେ ଟିଆରଏସ ମଧ୍ୟ ଭଲ ପ୍ରଦର୍ଶନ କରିବେ । ତେଣୁ ସେମାନଙ୍କ ସହ ମଧ୍ୟ କଂଗ୍ରେସ ଯୋଗସୂତ୍ରରେ ରହିଛି । ଯଦି ନିର୍ବାଚନରେ କଂଗ୍ରେସ ୧୫୦ ଆସନ ପାଇବ ତେବେ ଆମେ ସରକାର ଗଢ଼ିପାରିବୁ ବୋଲି କଂଗ୍ରେସ ଆଶା ପ୍ରକାଶ କରିଛି ।
