ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ରାଜ୍ୟ ଖବର

ସ୍ବାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି। ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବରେ ଗଢିତୋଳିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ସେହିପରି ନୂଆକରି ରାଜ୍ୟ ସରକାର ଗଢିଥିବା ୯ ଗୋଟି ମେଡିକାଲ କଲେଜ ଗୁଡିକର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଥିଲେ। ଏତଦ୍‌ବ୍ୟତୀତ ୫ ଗୋଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ ଗୋଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ । ଝାରସୁଗୁଡା ଠାରେ Cardiac Care ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ Multi Utility Complex, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର LINAC block, କ୍ୟାପିଟାଲ ହସ୍‌ପିଟାଲର ବିକାଶ ତଥା PGI ଭାବରେ ଗଢିବା ଏବଂ ବରଗଡ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ସ୍ବାସ୍ଥ୍ୟସେବାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଏହିସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବା ସହିତ ଏଥିରେ ସଂପୃକ୍ତ ବିଭିନ୍ନ ବିଭାଗ ସେମାନଙ୍କ ଦାୟିତ୍ବକୁ ଉତ୍ତମ ସମନ୍ବୟ ରକ୍ଷା କରି ନିର୍ବାହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।