ଭୁବନେଶ୍ବର: ଆଜି ସାରା ଦେଶ ପାଳନ କରୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପୂରା ଦେଶ ଉତ୍ସବମୁଖର। ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଯାଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହା ସହିତ ଅନୁଷ୍ଠିତ ରାଜ୍ୟସ୍ତରୀୟ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ କୋଭିଡ କଟକଣା ଭିତରେ ପରେଡ ଆୟୋଜିତ ହୋଇଥିବାରୁ ପ୍ରତିବର୍ଷ ପରେଡ ଦେଖିବା ପାଇଁ ଆସୁଥିବା ସାଧାରଣ ଲୋକଙ୍କୁ ଏଥର ବାରଣ କରାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଦୂରରେ ରଖାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଆୟୋଜିତ ପରେଡ୍ରେ ୧୪ଟି ଟ୍ରୁପ୍ ଭାଗ ନେଇଥିବା ବେଳେ ପରେଡ୍ର ନେତୃତ୍ବ ନେଇଛନ୍ତି କେସିଙ୍ଗା ଏସ୍ଡିପିଓ ଏସ୍ ସୁଶ୍ରୀ।
