ଗ୍ୟାସ ଟ୍ୟାଙ୍କର ହଟିବାରୁ ସ୍ୱାଭାବିକ ହେଲା ଗାଡି ଚଳାଚଳ

ଗ୍ୟାସ ଟ୍ୟାଙ୍କର ହଟିବାରୁ ସ୍ୱାଭାବିକ ହେଲା ଗାଡି ଚଳାଚଳ

ରାଜ୍ୟ ଖବର

୧୬ ନଂ ଜାତୀୟ ରାଜପଥର ରାଣୀତାଲ ନିକଟବର୍ତୀ ରାହାଞ୍ଜ ଅସୁରା ମଧ୍ୟାଞ୍ଚଳରେ ଏକ ଅଟକି ରହିଥିବା ଟ୍ରକ ପଛରେ ପାରାଦୀପରୁ ବାଲେଶ୍ୱର ଯାଉଥିବା ଗ୍ୟାସ ବୋଝେଇ ଟ୍ୟାଙ୍କର ଧକ୍କା ହେବା ଯୋଗୁ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଟ୍ୟାଙ୍କରଟି ଟ୍ରକ ପଛରେ ଜୋର୍ରେ ବାଡେଇ ଯିବାରୁ ଟ୍ୟାଙ୍କରର ଏକ ଚ୍ୟାମ୍ବରର ଭାଲ୍ବ ଖୋଲି ଯାଇଥିଲା । ଯାହା ଫଳରେ ସେଥିରୁ ତୀବ୍ର ଭାବରେ ଏଲପିଜି ଗ୍ୟାସ ନିର୍ଗତ ହୋଇଥିଲା । ଅଗ୍ନିକାଣ୍ଡର ସମ୍ଭାବନାକୁ ନଜରକୁ ଆଣି ଜିଲ୍ଳା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ରାଜପଥକୁ ସିଲ କରିଦିଆ ଯାଇଥିଲା । ଏହା ଦ୍ୱାରା ରାସ୍ତାର ଉଭୟ ପାଶ୍ୱର୍ରେ ଅସଂଖ୍ୟ ଗାଡିମୋଟର ଗତକାଲି ରାତି ୭ଟା ଠାରୁ ଅଟକି ରହିଥିଲା । ଯାହା ଆଜି ଦିନ ପ୍ରାୟ ୯ଟା ବେଳେ ଚଳାଚଳ କରିଥିଲା । ଭାଲବକୁ ମରାମତି କରିବା ପାଇଁ ବାଲେଶ୍ୱରରୁ ଏକ ଟେକ୍ନିକାଲ ଟିମ୍ ରାତିରେ ପହଂଚିଥିଲେ ମଧ୍ୟ ସେମାନେ ଗ୍ୟାସ୍ ନିର୍ଗତକୁ ବନ୍ଦ କରିବାରେ ସକ୍ଷମ ହୋଇ ନ ଥିଲେ । ଆଜି ଭୁବନେଶ୍ୱରରୁ ଟେକ୍ନିକାଲ ଟିମ ପହଂଚି ଏହାକୁ ମରାମତି କରିଥିଲେ ଏବଂ କିଛି ଗ୍ୟାସକୁ ଅନ୍ୟ ଏକ ଟ୍ରାଙ୍କରକୁ ଭର୍ତି କରିବା ପରେ ଗ୍ୟାସ ବାହାରିବା ବନ୍ଦ ହୋଇଥିଲା । ଗ୍ୟାସ ଲିକ୍ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏକ କୋକୁଆ ଭୟ ସୃଷ୍ଟି ହୋଇ ଯାଇଥିଲା । ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସତର୍କ କରାଯିବା ସହ ରୋଷେଇ କରିବା କିମ୍ବା ଇନ୍ଧନରେ କୌଣସି ଆଲୁଅ ନ ଜଳାଇବା, ଦିଆସିଲି ନ ମାରିବାକୁ ଅନୁରୋଧ କରାଯାଇଥିଲା । ଯାହା ଫଳରେ ପ୍ରାୟ ୧୦ଟିରୁ ଉଦ୍ଧ୍ୱର୍ ଗ୍ରାମବାସୀ ଗତକାଲି ରାତିରେ ଘରେ ଚୁଲୀ ଜାଳି ନ ଥିଲେ । ରାହାଞ୍ଜ, ରାଣୀତାଲ, ଚରମ୍ପା ପର୍ଯ୍ୟନ୍ତ ଦୋକାନକୁ ମଧ୍ୟ ବନ୍ଦ ରଖା ଯାଇଥିଲା । ଦେକାନୀ ମାନେ ଭୟରେ ଦୋକାନ ଛାଡି ପଳାଇଥିଲେ । ସେହିପରି ରାସ୍ତାରେ ଗାଡି ମୋଟର ଅଟକି ରହିବା ଯୋଗୁ ୪ଜଣ ବର ଗତକାଲି ବିବାହ କରିବାକୁ ଯାଇ ପାରି ନାହାନ୍ତି । ସୋର ଓ ଅଭଣା ଅଂଚଳର ଦୁଇଜଣ ବରଙ୍କୁ ମୋଟର ସାଇକେଲରେ କନିଆ ଘରକୁ ନିଆ ଯାଇଥିବା ଖବର ମିଳିଛି । କେତେକ ଗାଡି ଜାମୁଝାଡି ହୋଇ ବାସୁଦେବପୁର, ଇଚ୍ଛାପୁର, ଭଦ୍ରକ ହୋଇ ଚଳାଚଳ କରିଥିଲା । ଗାଡି ଅଟକି ଥିବାରୁ ଆଜି ସକାଳେ ବହୁ ବୁଲା ଦୋକାନୀ ପାଣି, ବିସ୍କୁଟ, ଶୁଖିଲା ଖାଦ୍ୟକୁ ଟ୍ରକ ବସ୍ ପାଖରେ ବହୁ ଅଧିକ ଦରରେ ବିକ୍ରି କରିଥିବା ଦେଖିବାକୁ ମିଳିଥିଲା । ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଏସପି ରାଜେଶ ପଣ୍ଡିତ, ଏସଡିପିଓ ଜଳନ୍ଧର ଜାଲି, ଟାଉନ୍ ଥାନାଧିକାରିଣୀ ସରୋଜିନୀ ସିଂହ, ଗ୍ରାମାଞ୍ଚଳ ଥାନା ଆଇଆଇସି ଦୟାନିଧି ଦାସ, ଭଦ୍ରକ ଫାୟାର ଅଫିସର ପ୍ରମୁଖ ଘଟଣା ସ୍ଥଳରେ ସଜାଗ ଥିଲେ । ଦମକଳକୁ ଘଟଣା ସ୍ଥଳରେ ସଜାଗ ରଖା ଯାଇଥିଲା । ତେବେ ଆଜି ଗାଡି ଚଳାଚଳ ସ୍ୱାଭାବିକ ହୋଇ ଯାଇଛି । ମାତ୍ର ସ୍ଥାନୀୟ ଲୋକେ ଗ୍ୟାସର ଦୁର୍ଗନ୍ଧକୁ ନେଇ ଅତିଷ୍ଠ ଥିବା ପ୍ରକାଶ କରିଛନ୍ତି ।