ନୂଆଦିଲ୍ଲୀ: ଭାରତରେ ବିଶ୍ୱର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାର ତିନି ସପ୍ତାହ ବିତିଲାଣି । ତେବେ ଦେଶର ସିଂହଭାଗ ନାଗରିକ ବିଭିନ୍ନ କାରଣରୁ ଏଥିପ୍ରତି ଆଗ୍ରହ ପ୍ରକାଶ କରି ନାହାନ୍ତି । ଅପରପକ୍ଷେ, ଧୀରେ ଧୀରେ ଲୋକମାନଙ୍କର ଏହି ମନୋଭାବରେ ପରିବର୍ତ୍ତନ ଆସିବା ସହ ସମ୍ପ୍ରତି ୪୨ ପ୍ରତିଶତ ଭାରତୀୟ ଟିକା ନେବାକୁ ଆଗ୍ରହୀ ହୋଇଥିବା ଜଣାଯାଇଛି । ଏପରିକି ଦେଶର ରାଜନେତାମାନେ ଟିକା ନେବାକୁ ଆଗ୍ରହୀ ଥିବା ଦେଶବାସୀଙ୍କ ସଂଖ୍ୟା ୬୫ ପ୍ରତିଶତ ହୋଇଯିବ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି । ସର୍ବେକ୍ଷଣ ସଂସ୍ଥା ‘ଲୋକାଲ ସର୍କଲସ’ ଦ୍ୱାରା ସଦ୍ୟ ଅନୁଷ୍ଠିତ ଏହି ଅନୁଧ୍ୟାନ ଅନୁଯାୟୀ, ଯଦି କେନ୍ଦ୍ର ବା ରାଜ୍ୟସ୍ତରୀୟ ରାଜନେତାମାନେ କୋଭିଡ ଟିକା ନେବାକୁ ଇଚ୍ଛା କରନ୍ତି, ତେବେ ଏଥିପାଇଁ ବିମୁଖ ଥିବା ଲୋକଙ୍କ ମଧ୍ୟରୁ ୩୯ ପ୍ରତିଶତ ଟିକା ନେବାକୁ ସମ୍ମତି ପ୍ରଦାନ କରିବେ ବୋଲି ଜଣାଯାଇଛି । ସେହିପରି ୨୬ ପ୍ରତିଶତ ନାଗରିକ ଏଥିପାଇଁ ଆଉ ତିନି ମାସ ଯାଏ ଅପେକ୍ଷା କରିବାକୁ କହିଥିବା ବେଳେ ୧୬ ପ୍ରତିଶତ ୩ ରୁ ୬ ମାସ, ୯ ପ୍ରତିଶତ ୬ ରୁ ୧୨ ମାସ ଓ ୫ ପ୍ରତିଶତ ବର୍ଷଟିଏ ଅପେକ୍ଷା କରିବା ଲାଗି ମତ ରଖିଛନ୍ତି ।
