ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀଙ୍କ ମଧ୍ୟରେ ମତଭେଦ ଲାଗି ରହିଥିବା ବେଳେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଫସଲ ହାନି ଆକଳନ କରିବା କାର୍ଯ୍ୟରେ ଡ୍ରୋନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଦେଶରେ ଅଧିକ ମାତ୍ରାରେ ଧାନ ଓ ଗହମ ଉପôାଦନ ହେଉଥିବା ୧୦୦ଟି ଜିଲ୍ଲାରେ ଡ୍ରୋନ ବ୍ୟବହାର ହେବ ବୋଲି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀମାନେ ଏହି ନିଷ୍ପତ୍ତି ଦ୍ୱାରା ଲାଭବାନ ହେବେ ଓ ସେମାନଙ୍କୁ ଶୀଘ୍ର ବୀମା ରାଶି ମିଳିପାରିବ । ପ୍ରାକୃତି ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ କାରଣ ଯୋଗୁଁ ଫସଲ ହାନି ହେଲେ ତାହାର ଆକଳନ କରିବା ଏକ ଜଟିଳ କାର୍ଯ୍ୟ । ଏହି କାମରେ ଡ୍ରୋନ ବ୍ୟବହାର କରିବା ଲାଗି କୃଷି ମନ୍ତ୍ରଣାଳୟ ପକ୍ଷରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅନୁମତି ମଗାଯାଇଥିଲା । ସେହି ଅନୁମତି ମିଳିଛି ବୋଲି ଶ୍ରୀ ତୋମର କହିଛନ୍ତି ।
