ନୂଆଦିଲ୍ଲୀ: କେନ୍ଦ୍ର ପ୍ରାଶାସନିକ ସେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରୁ ଯେଉଁମାନେ ଗତବର୍ଷ ମହାମାରୀ କୋଭିଡ ସକାଶେ ୟୁପିଏସସି ପରୀକ୍ଷା ଦେଇପାରିନାହାନ୍ତି, ସେମାନଙ୍କ ବୟସ ସୀମା ରହିଥିଲେ ସେମାନଙ୍କୁ କେବଳ ଚଳିତ ବର୍ଷ ଆଉ ଗୋଟିଏ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ଏକ ମାମଲାର ଶୁଣାଣି ବେଳେ ସୁପି୍ରମକୋର୍ଟ ଜଣାଇଛନ୍ତି । ମାମଲାର ବିବରଣୀ ଅନୁଯାୟୀ, ଆବେଦନକାରିଣୀ ତଥା ପ୍ରଶାସନିକ ସେବା ଆଶାୟୀ ରଚନା ସିଂହ ଗତବର୍ଷ କୋଭିଡ ବିଶୃଙ୍ଖଳା ଓ ତଜ୍ଜନିତ ମାନସିକ ଚାପ ଯୋଗୁଁ ୟୁପିଏସସି ପରୀକ୍ଷା ପାଇଁ ଆଶାନୁରୂପ ପ୍ରସ୍ତୁତି କରିପାରିନଥିଲେ । କାରଣ ଗତ ବର୍ଷ ମେ ୩୧ରେ ହେବାକୁ ଥିବା ଏହି ପରୀକ୍ଷା ଶେଷରେ ଅକ୍ଟୋବର ୪ ରେ ଅନୁଷ୍ଠିତ ହୋଇଥିଲା । ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ଦେବା ପାଇଁ ସେ ଅଦାଲତର ଆଶ୍ରୟ ନେଇଥିଲେ । ଅପରପକ୍ଷେ, ଯେଉଁ ପ୍ରାର୍ଥୀମାନଙ୍କର ଏହି ପରୀକ୍ଷା ପାଇଁ ବୟସ ସୀମା ସରିଯାଉଛି ସେମାନଙ୍କୁ ଆଉ ଥରେ ସୁଯୋଗ ଦେବା କଥା ବିଚାର କରିବାକୁ ଗତ ସେପ୍ଟେମ୍ବରରେ ସୁପି୍ରମକୋର୍ଟ ସରକାରଙ୍କୁ ପରାମର୍ଶ କରିଥିଲେ । ତେବେ ଏହା ଦ୍ୱାରା ୟୁପିଏସସିର ପ୍ରାର୍ଥୀ ଚୟନ ପ୍ରକି୍ରୟାରେ ବିଶୃଙ୍ଖଳା ସୃଷ୍ଟି ହେବ ବୋଲି ସରକାର ପ୍ରଥମେ ଜଣାଇଥିଲେ । ମାତ୍ର ଏବେ ସରକାର ନିଜର ଆଭିମୁଖ୍ୟ ବଦଳାଇ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦେବାକୁ ରାଜି ଥିବାରୁ ଜଷ୍ଟିସ ଏ ଏମ ଖାନୱିଲକର ଓ ଦୀନେଶ ମାହେଶ୍ୱରଙ୍କ ଖଣ୍ଡପୀଠ ସନ୍ତୋଷ ପ୍ରକଟ କରିଛନ୍ତି ।
