ପୂର୍ବତନ ଆଇଏଏସ ଅଫିସରଙ୍କ ପୁଅ ଗିରଫ

ପୂର୍ବତନ ଆଇଏଏସ ଅଫିସରଙ୍କ ପୁଅ ଗିରଫ

ରାଜ୍ୟ ଖବର

ସୁନ୍ଦରଗଡ଼: ଅବସରପ୍ରାପ୍ତ ଆଇଏଏସ ଲିଭିନୁସ କିଣ୍ଡୋଙ୍କ ପୁଅ ଦୀପକ କିଣ୍ଡୋଙ୍କୁ ଗିରଫ କରିଛି ତାମିଲନାଡୁ ଅର୍ଥନୈତିକ ଅପରାଧ ଶାଖା । ଏକ ବଡ଼ ଧରଣର ଋଣ ଖିଲାପ ମାମଲାରେ ଦୀପକଙ୍କୁ ତାମିଲନାଡୁ ନିଆଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁମୋଦନରେ ଚେନ୍ନାଇ ଓ ବିଭିନ୍ନ ସ୍ଥାନରେ ଫାଇନାନ୍ସ କମ୍ପାନୀରୁ କୋଟି କୋଟି ଟଙ୍କାର ଋଣ ଆଣି ସେ ପରବର୍ତ୍ତୀ ସମୟରେ କିସ୍ତି ପ୍ରଦାନରେ ଖିଲାପ କରିଥିଲେ । ଫାଇନାନ୍ସ କମ୍ପାନୀର ବାରମ୍ବାର ନୋଟିସ ସତ୍ତ୍ୱେ କୌଣସି ଉତ୍ତର ଦେଉନଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦୀପକଙ୍କ ‘ସମ୍ବନ୍ଧ ଫିନ୍ସରି’ ନାମକ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀ ରହିଛି । ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଗୁଜରାଟରେ ଏହାର ଶହେରୁ ଅଧିକ ଶାଢ଼ା ରହିଛି । ଏହି ଗ୍ରୁପ ଅଧୀନରେ ବଡ଼ଗାଁ ବ୍ଲକ ଅଞ୍ଚଳରେ ଏକ ଡାଏରି ଫାର୍ମ ଭଳି ଆହୁରି ପାଞ୍ଚଟି କମ୍ପାନୀ କାମ କରୁଛି । ଏସବୁ କମ୍ପାନୀ ୧୫ ବର୍ଷ ହେଲା ଆର୍ଥିକ ଅନଗ୍ରସର ଲୋକଙ୍କ ଋଣ ଦେଇ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ରଖିଥିବା ଦର୍ଶାଇ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିଲା । ଏହି କ୍ରମରେ ଦୀପକଙ୍କ ବିରୋଧରେ ତାମିଲନାଡୁର ଏକ ଅର୍ଥ ଲଗାଣକାରୀ କମ୍ପାନୀରୁ ଋଣ ଆଣି ପରିଶୋଧରେ ଖିଲାପ କରିବା, ହିତାଧିକାରୀଙ୍କୁ ଅନ୍ଧାରରେ ରଖି ସେମାନଙ୍କ ରିହାତି ହଡ଼ପ କରିବା, ଭୂତ ଅଧିକାରୀଙ୍କ ନାମରେ ଋଣ ଉଠାଣ ଆର୍ଥିକ ଅପରାଧରେ ସମ୍ପୃକ୍ତ ଆଦି ବହୁ ଅଭିଯୋଗ ହୋଇଥିଲା । ଶେଷକୁ ଚେନ୍ନାଇରେ ଥିବା ଏକ କମ୍ପାନୀ ତାମିଲନାଡୁ ଅର୍ଥନୈତିକ ଅପରାଧ ଶାଖାରେ ଶ୍ରୀ କିଣ୍ଡୋଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହି ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି ।