ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଆଜି ୨ ବର୍ଷ ହୋଇଛି । ପାକିସ୍ତାନୀ ଆତଙ୍କବାଦୀ ପକ୍ଷରୁ କରାଯାଇଥିବା ଆକ୍ରମଣରେ ସିଆରପିଏଫର ୪୦ ଜଣ ଯବାନ ସହିଦ ହୋଇଥିଲେ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ୨୦୧୯ ଫେବ୍ରୁଆରୀ ୧୪ରେ ହୋଇଥିଲା । ସେହିଦିନ ୭୮ଟି ଗାଡ଼ିରେ ୨୫୦୦ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିଲେ । ଏହି ଗାଡ଼ି ଅବନ୍ତୀପୋରା ନିକଟ ଲେଥୀପୋରାରେ ୪୪ ନମ୍ବର ଜାତୀୟ ରାଜପଥ ଦେଇ ଆଗକୁ ବଢୁଥିଲା । ଅପରାହ୍ନ ପ୍ରାୟ ୩ଟା ୩୦ ରେ ୩୫୦ କିଲୋ ବିସ୍ଫୋରକ ସାମଗ୍ରୀ ସହ ଏସୟୁଭି ଯବାନଙ୍କ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ସେଠାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ସେହି ଦିନ ସମଗ୍ର ବିଶ୍ୱ ସମେତ ଭାରତରେ ମଧ୍ୟ ଯୁବପୀଢ଼ି ଭାଲେଣ୍ଟାଇନ ଦିବସ ପାଳନରେ ବ୍ୟସ୍ତ ଥିଲେ । ପୁଲୱାମା ଆକ୍ରମଣ ଘଟଣା ଜଣାପଡ଼ିବା ପରେ ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ । ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା ହୋଇଥିବା ଆକ୍ରମଣ ପରେ ଦେଶରେ ଉତ୍ତେଜନା ଲାଗି ରହିଥିଲା । ଏହି ଘଟଣା ପରେ ଭାରତୀୟ ବାୟୁସେନା ନିଜର ଅଭିଯାନ ଆରମ୍ଭ କରିଦେଇଥିଲା । ବାୟୁସେନା ୨୦୨୯ ଫେବ୍ରୁଆରୀ ୨୨ରେ ରିହର୍ସଲ ଆରମ୍ଭ କରିଥିଲା । ଏହି ମିଶନ ଲାଗି ମିରାଜ ସ୍କ୍ୱାର୍ଡନର ୧୨ଟି ଜେଟକୁ ପ୍ରସ୍ତୁତ ରହିବାକୁ କୁହାଗଲା । ବାୟୁସେନା ୨୪ ତାରିଖରେ ମିଶନ ଆରମ୍ଭ କଲା । ସଫଳତା ମିଳିବା ପରେ ଫେବ୍ରୁଆରୀ ୨୬ରେ ଅପରେଶନ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ଅପରେଶନରେ ସାମିଲ ଥିବା ବାୟୁସେନାର ମିରାଜ ବିମାନ ଗୁଡ଼ିକ ପାକିସ୍ତାନରେ ରାତି ୩ଟାରେ ଅତର୍କିତ ପ୍ରବେଶ କରି ବାଲାକୋଟ ଅଂଚଳରେ ପରିଚାଳିତ ହେଉଥିବା ଆତଙ୍କବାଦୀ ଶିବିରରେ ଆକ୍ରମଣ କରିଥିଲେ । ପ୍ରାୟ ୩୦୦ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ ହୋଇଥିଲା ଓ ସେମାନେ ନିହତ ହୋଇଥିଲେ ।
