୨୧% ଅଧିକ ଧାନ ସଂଗ୍ରହ ହେଲାଣି : ମନ୍ତ୍ରୀ

୨୧% ଅଧିକ ଧାନ ସଂଗ୍ରହ ହେଲାଣି : ମନ୍ତ୍ରୀ

ରାଜ୍ୟ ଖବର

ଭୁବନେଶ୍ୱର: ଗତ ବର୍ଷ ତୁଳନାରେ ରାଜ୍ୟରେ ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ଏହା କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିରୋଧରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ବିବୃତିରେ ଏହା କହିଛନ୍ତି । ସେ କହିଛନ୍ତି ଯେ, ଧାନ କ୍ରୟର ୭ ଦିନ ପୂର୍ବରୁ ଚାଷୀଙ୍କୁ ତାରିଖ ଓ ପରିମାଣ ଜଣାଇ ଦିଆଯାଉଛି । ଚଳିତ ବର୍ଷ ୫୫.୦୫ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତ ବର୍ଷ ୪୫.୬୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଧାନ ବିକ୍ରି କରିଛନ୍ତି । ଏ ବାବଦକୁ ଚାଷୀଙ୍କ ଆକାଉଣ୍ଟକୁ ୧୦ ହଜାର ୨୮୧ କୋଟି ଟଙ୍କା ପଠାଯାଇଛି । ବିରୋଧୀଙ୍କ ନିକଟରେ ଏଜେଣ୍ଡା ନଥିବାରୁ ହୋହାଲ୍ଲା କରୁଛନ୍ତି । ବାହାର ରାଜ୍ୟ ବ୍ୟବସାୟୀ ନୁହେଁ, କେବଳ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବୁ । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଅନ୍ୟପକ୍ଷରେ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବିଧାୟକ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।