ଭୁବନେଶ୍ୱର : ଅଞ୍ଜନା ମିଶ୍ରଙ୍କୁ କେମିତି ନେଇଥିଲେ ? କେଉଁଠି ଗଣଦୁଷ୍କର୍ମ କରାଯାଇଥିଲା ? ଆଦି ସମ୍ପର୍କରେ ଟିକିନିଖି ଭାବେ ସିବିଆଇ ଆଗରେ ବଖାଣିଛି ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ । ସିବିଆଇ ସକାଳୁ ସକାଳୁ ବିବନକୁ ନେଇ ସିନ ରିକ୍ରିଏସନ କରାଇଥିଲା । ବିବନ ଓ ତା’ର ସହଯୋଗୀମାନେ ଅଞ୍ଜନାଙ୍କୁ କୋଉଠୁ ନେଲେ, କେଉଁ ସ୍ଥାନରେ ଗଣଦୁଷ୍କର୍ମ କରିଥିଲେ, କେମିତି ଫେରାର ହୋଇଯାଇଥିଲେ ଆଦି ସମ୍ପର୍କରେ ସୂଚନା ଦେଇଥିଲା । ଅପରାଧ ଘଟାଇବା ପରେ ବିବନ ୩ ଦିନ ଧରି ବାରଙ୍ଗ ଅଂଚଳରେ ବୁଲିଥିଲା । ପରେ ସେ ଟ୍ରେନ ଯୋଗେ ମଧ୍ୟପ୍ରଦେଶ ପଳାଇଥିଲା । ସେଠାରେ କିଛି ବର୍ଷ ରହିବା ପରେ ମହାରାଷ୍ଟ୍ର ଚାଲି ଯାଇଥିଲା । ତେବେ ଗତ ୫ ବର୍ଷ ଧରି ସେ ପରିବାର ସହ ନିୟମିତ ଯୋଗାଯୋଗରେ ରହିଥିଲା । ସୂଚନାଯୋଗ୍ୟଯେ, ୨୨ ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳୁଥିବା ବିବନକୁ କମିଶନରେଟ ପୁଲିସ ଲୋନାୱାଲା ରାସ୍ତାର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା । କୋର୍ଟରେ ହାଜର କରିବା ପରେ ତାକୁ ଜେଲକୁ ପଠାଇ ଦିଆଯାଇଥିଲା । ପରେ ଝାରପଡ଼ା ଜେଲରେ ତା’ର ଟିଆଇ ପରେଡ଼ କରାଯାଇଥିବାବେଳେ ଅଞ୍ଜନା ଓ ତାଙ୍କ ଡ୍ରାଇଭର ନୀଳକଣ୍ଠ ରାଉତ ତାକୁ ଚିହ୍ନଟ କରିଥିଲେ ।
