ନୂଆଦିଲ୍ଲୀ: ଗାଡ଼ି ସଂକ୍ରାନ୍ତ ଅନେକ କାର୍ଯ୍ୟ ଏବେ ଅନଲାଇନରେ ହୋଇଯିବ । ଏଥିପାଇଁ ଆଉ ଲୋକମାନଙ୍କୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଘରେ ବସି ଆଧାରକାର୍ଡ ଅଥେଣ୍ଟିକେସନ ମାଧ୍ୟମରେ ଲୋକମାନେ ଏସବୁ ସେବା ପାଇପାରିବେ । ଏଗୁଡ଼ିକ ମଧ୍ୟରେ ଡ୍ରାଇଭିଂ ଲାଇସେନ୍ସ ନବୀକରଣ (ଯେଉଁ ଗାଡ଼ି ପାଇଁ ଦକ୍ଷତା ଯାଞ୍ଚ ଅନାବଶ୍ୟକ), ଗାଡ଼ି ପଞ୍ଜୀକରଣ, ଲର୍ନର୍ସ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସର ଠିକଣା ପରିବର୍ତ୍ତନ, ଲାଇସେନ୍ସରୁ ଗାଡ଼ିର ବର୍ଗକୁ ସରେଣ୍ଡର, ଗାଡ଼ିର ଅସ୍ଥାୟୀ ପଞ୍ଜୀକରଣ, ଡୁପ୍ଲିକେଟ ପଞ୍ଜୀକରଣ ପ୍ରମାଣ ପତ୍ର ଗାଡ଼ିର ମାଲିକାନା ପରିବର୍ତ୍ତନ, ହାୟାର ପର୍ଚେଜ ରାଜିନାମାକୁ ସ୍ୱୀକୃତି କିମ୍ବା ରଦ୍ଧ, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ ଆଦି ୧୮ ପ୍ରକାରର ସେବା ରହିଛି । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି । ଏହି ସୁବିଧା ଦ୍ୱାରା ନାଗରିକ ମାନଙ୍କୁ ଗାଡ଼ି ସମ୍ପର୍କିତ ସେବା ପାଇଁ ଆରଟିଓରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କୌଣସି କର୍ମଚାରୀଙ୍କ ନିକଟକୁ ଯିବାକୁ ପଡ଼ିବ ନାହିଁ । ଅନ୍ୟ ପକ୍ଷରେ ଏହି ସୁବିଧା ଗୁଡ଼ିକ ଆରଟିଓ କାର୍ଯ୍ୟାଳୟରେ ସେବା ପ୍ରଦାନ ମାନରେ ଉନ୍ନତି ଆଣିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
