ସୁନ୍ଦରଗଡ଼: ବଡଗାଁ ବ୍ଲକରେ ସହକାରୀ ଯନ୍ତ୍ରୀ ଭାବେ କାର୍ୟ୍ୟରତ ସୁନ୍ଦରଗଡ଼ ରଙ୍ଗାଢ଼ିପାରେ ରହୁଥିବା ପର୍ଶୁରାମ ନାଏକଙ୍କ ଘର, ଲେଫ୍ରିପଡ଼ାସ୍ଥିତ ପୈତୃକ ବାସଭବନ ଓ ବଡ଼ଗାଁ କାର୍ୟ୍ୟାଳୟରେ ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ଏକକାଳୀନ ଚଢ଼ଉ କରିଛି। ସହକାରୀ ଯନ୍ତ୍ରୀଙ୍କ ମୋଟ ସମ୍ପତ୍ତି ଦେଢ଼ କୋଟିରୁ ଉଦ୍ଧ୍ୱର୍ ହେବ ବୋଲି ଡିଏସ୍ପି ଦିବାକର ନାଏକ କହିଛନ୍ତି । ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ନାମରେ ରାଉରକେଲା ଏସ୍ପିଙ୍କ ନିକଟରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ଏସ୍ପି ଏହି ଅଭିଯୋଗର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ରାଉରକେଲା ଡିଏସ୍ପି ଦିବାକର ନାଏକଙ୍କୁ ଭିଜିଲାନ୍ସ ରେଡ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ନାଏକ ସୁନ୍ଦରଗଡ଼ ଭିଜିଲାନ୍ସ୍ ଜଜ୍ଙ୍କ ଠାରୁ ପର୍ଶୁରାମ ନାଏକଙ୍କ ଘର ଉପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ପାଇଁ ସର୍ଚ୍ଚ ୱାରେଣ୍ଟ ଦେବା ପାଇଁ ଅନୁରୋଧ କରିଥିଲେ । ସ୍ପେସିଆଲ୍ ଭିଜିଲାନ୍ସ୍ ଜଜ୍ଙ୍କ ଠାରୁ ସର୍ଚ୍ଚ ୱାରଣ୍ଟ ଆଣି ଆଜି ସକାଳୁ ସହକାରୀ ଯନ୍ତ୍ରୀ ପର୍ଶୁରାମ ନାଏକଙ୍କ ରଙ୍ଗାଢ଼ିପାସ୍ଥିତ ଘର, ପୈତୃକ ଗ୍ରାମ ଲେଫ୍ରିପଡ଼ା ସ୍ଥିତ ବାସଭବନ ଓ ବଡଗାଁ କାର୍ୟ୍ୟାଳୟ ଉପରେ ଏକକାଳୀନ ଚଢ଼ାଉ ହୋଇଥିଲା । ଡିଏସ୍ପି ଦିବାକର ନାଏକଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀଙ୍କ ରଙ୍ଗାଢ଼ିପା ବାସଭବନରେ ଚଢ଼ାଉ କରାଯାଇଥିଲା ।
