ନୂଆଦିଲ୍ଲୀ:ଟ୍ରେନରେ ସିଗାରେଟ ଓ ବିଡ଼ି ଟାଣୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଳ ମନ୍ତ୍ରଣାଳୟ ଚିନ୍ତା କରୁଛି । ଏଭଳି ବ୍ୟକ୍ତିଙ୍କ ଉପରେ ବଡ଼ ଆକାରର ଜରିମାନା ଲଗାଯିବା ସହିତ ଏମାନଙ୍କୁ ଗିରଫ ବି କରାଯାଇପାରେ । ରେଳବାଇର ସମ୍ପତ୍ତି ନଷ୍ଟ କରିବା ଏବଂ ସହଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇବା ଅଭିଯୋଗରେ ସେମାନଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯିବ । ଚଳିତ ମାସ ୧୩ ତାରିଖରେ ଉତ୍ତରାଖଣ୍ଡରେ ଏକ ରେଳ ଷ୍ଟେସନରେ ନୂଆଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଟ୍ରେନରେ ଏକ ବଗିରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଯାଞ୍ଚରୁ ଜଣାପଡ଼ିଥିଲା କି କେହି ଜଣେ ସେଇ ବଗିର ଟୟଲେଟରେ ଥିବା ଡଷ୍ଟବିନରେ ଅଧା ଜଳା ବିଡି କିମ୍ବା ସିଗାରେଟକୁ ଫିଙ୍ଗିଥିଲେ । ଡଷ୍ଟବିନରେ ପଡ଼ିଥିବା ଟୟଲେଟ ପେପରରେ ସେଥିରୁ ନିଅାଁ ଧରିଥିଲା ଏବଂ ପରେ ତାହା ପୂରା ବଗିକୁ ବ୍ୟାପିଯାଇଥିଲା । ଏହା ପରେ ରେଳ ମନ୍ତ୍ରଣାଳୟ ଏଭଳି ଘଟଣା ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ଚିନ୍ତା କରୁଛି ।
