ଦୋଳ ପୂର୍ଣ୍ଣମୀରେ ଖୋଲିଛି ନୂଆ ପାଞ୍ଜି , କ’ଣ ଅଛି ନୂଆ ପାଞ୍ଜିରେ ଜାଣନ୍ତୁ ?

ଦୋଳ ପୂର୍ଣ୍ଣମୀରେ ଖୋଲିଛି ନୂଆ ପାଞ୍ଜି , କ’ଣ ଅଛି ନୂଆ ପାଞ୍ଜିରେ ଜାଣନ୍ତୁ ?

ସଂସ୍କୃତି

ଭୁବନେଶ୍ୱର : ଦୋଳ ପୂର୍ଣ୍ଣମୀରେ ଖୋଲିଛି ନୂଆ ପାଞ୍ଜି । ଚଳିତ ବର୍ଷ ଦେଶ ଓ ରାଜ୍ୟ ସହ ଲୋକଙ୍କ ସ୍ଥିତି କ’ଣ ରହିବ ସେନେଇ ପାଞ୍ଜିରେ ପୂର୍ବାନୁମାନ କରାଯାଇଛି । ନୂଆ ପାଞ୍ଜି ଅନୁଯାୟୀ, ଚଳିତ ବର୍ଷ ଶାସନ କର୍ତା ରହିଛନ୍ତି ଶନି । ସେହିପରି ମନ୍ତ୍ରୀ ପଦରେ ମଙ୍ଗଳ ଅଛନ୍ତି । ଶନି ଓ ମଙ୍ଗଳ ସବୁବେଳେ ବିରୋଧୀ ହୋଇଥିବାରୁ ଦେଶରେ ରାଜନୈତିକ କନ୍ଦଳ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଫଳରେ ଶାସନ କ୍ଷେତ୍ରରେ ଭୀଷଣ ଦ୍ୱନ୍ଦ୍ୱ ଦେଖାଦେବ । ପ୍ରଜାମାନେ ରୋଗ ପୀଡ଼ାର ସାମ୍ନା କରିବେ । ଆହୁରି ୧୧ ମାସ କାଳ ରୋଗ ଓ ମହାମାରୀ ସଂକଟରେ ଲୋକେ ଘାଂଟିହେବେ ବୋଲି ରାଜଜ୍ୟୋତିଷ ଜ୍ୟୋତିର୍ବିଦ ଶିବ ନାରାୟଣ ମହାପାତ୍ର କହିଛନ୍ତି । ଏଥର ବର୍ଷା ୮୦ ପାଳକ ଥିବାରୁ ଧାନ ଅମଳ ଭଲ ହେବ । ସେହିପରି କେଳୁଣୀ ଅଧିପତି ଥିବାରୁ ଆୟ ଭଲ ରହିବ । ଆୟ ହେଲେ ଲୋକଙ୍କ ପାଖରେ ଧନସମ୍ପତି ବୃଦ୍ଧି ପାଇବ । ତିନୋଟି ରାଶିକୁ ବୃହସ୍ପତି ଅତିକ୍ରମ କରୁଥିବାରୁ ବିଶ୍ୱକୁ ତଥା ଭାରତ ବର୍ଷକୁ ଭଲ ନାହିଁ । ଜୀବଜଗତର ମଙ୍ଗଳ ପାଇଁ ବିଷ୍ଣୁ ସହସ୍ରନାମ, ଗୀତା ଯଜ୍ଞ ଓ ଚଣ୍ଡୀ ପାଠ ଆଦି ଦେବ କର୍ମ କରିବାକୁ ପରାମର୍ଶ ଦିଆଯାଇଛି । ଭାରତର ରାଶି ହେଉଛି ମକର । ଜନ୍ମରେ ବୃହସ୍ପତି ଥିବାରୁ ଭଲ ଫଳ ନାହିଁ । ଓଡ଼ିଶାର ରାଶି ହେଉଛି ବୃଷ । ଅଷ୍ଟମରେ ଅଛନ୍ତି ବୃହସ୍ପତି । ସେପ୍ଟେମ୍ବରରେ ବୃହସ୍ପତି କିଛି ସମୟ ପାଇଁ ଭଲ ଫଳ ଦେବେ । ମକର ରାଶିରେ ପଂଚ ଗୃହକୁଟ ପ୍ରବେଶ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀର ଆଶଙ୍କା ରହିଛି । ବ୍ରାହ୍ମଣୀ, କେଳୁଣୀ ଓ ଗଉଡ଼ୁଣୀ ବାର୍ଷିକ ଆୟ ଓ ଆମଦାନୀ ବୁଝନ୍ତି । ଚଳିତ ବର୍ଷ କେଳୁଣୀ ହାତରେ ଦାୟିତ୍ୱ ଥିବାରୁ ଭଲ ଆୟ ଓ ଆମଦାନୀ ହେବ ।