ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ଫଳ । ଚଳିତ ବର୍ଷର ପାଶ ହାର ୭୦.୭୮% ରହିଛି । ମୋଟ ଉପରେ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପାଶ କରିଛନ୍ତି । ଅପରପକ୍ଷରେ ୧ ଲକ୍ଷ ୬୩ ହଜାର ୮୫୪ ଜଣ ଫେଲ ହୋଇଛନ୍ତି । ଗ୍ରେଡ଼ ଏ ୧ରେ ୧୧୮୧, ଗ୍ରେଡ଼ ଏ୨ରେ ୯୯୩୮ ଜଣ, ବି୧ରେ ୨୪୯୫୧ ପାଶ କରିଛନ୍ତି । ୮୨ ସ୍କୁଲରେ ଜଣେ ହେଲେ ପାଶ କରିନଥିବାବେଳେ ୨୮୯ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀ ପାଶ କରିଛନ୍ତି । କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ବୋଡର଼୍ର ସେଂଟ୍ରାଲ ହଲରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଓ ନିଦେ୍ର୍ଧଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ ପରୀକ୍ଷା ଫଳ ବୁକଲେଟ ଉନ୍ମୋଚନ କରିଛନ୍ତି । ସୂଚନାଯୋଗ୍ୟଯେ, ଫେବୃଆରୀ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହୋଇଥିଲା । ମୂଲ୍ୟାୟନ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଅପ୍ରେଲ ୮ରେ ଶେଷ ହୋଇଥିଲା । ମେ’ ପ୍ରଥମ ସପ୍ତାହରେ ମାଟ୍ରିକ ଫଳ ପ୍ରକାଶ ପାଇବାର ଥିବାବେଳେ ବାତ୍ୟା ଫନି ପାଇଁ ଏହା ବିଳମ୍ବିତ ହୋଇଛି । ଚଳିତବର୍ଷ ନୂଆ ଢାଂଚାରେ ମାଟି୍ରକ ପରୀକ୍ଷା ହୋଇଥିଲା । ପାସ ପାଇଁ ଉଭୟ ସବଜେକ୍ଟିଭ ଓ ଅବଜେକ୍ଟିଭରେ ୧୫ ନମ୍ବର ଲେଖାଏଁ ରଖିବା ବାଧ୍ୟତାମୂଳକ କରାଯାଇଛି ।
