ଚେନ୍ନାଇ: ଆଉଟ ହେବା ପରେ ହତୋତ୍ସାହିତ ଓ ଉତକ୍ଷିପ୍ତ ହୋଇ ଏକ ଚୌକିକୁ ଖୁବ ଜୋରରେ ଗୋଇଠା ମାରିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଚରଣ ସଂହିତା ଉଲ୍ଲଂଘନ ଅଭିଯୋଗରେ ଆଇପିଏଲ ତରଫରୁ ତାଙ୍କୁ କଡ଼ା ଚେତାବନୀ ଦିଆଯାଇଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋହଲି ଚମକ୍ରାର ବ୍ୟାଟି କରି ୨୯ ବଲରୁ ୨୩ ରନ କରିଥିଲା ବେଳେ ପ୍ରତିପକ୍ଷ ଅଲରାଉଣ୍ଡର ଜାସନ ହୋଲ୍ଡର ତାଙ୍କୁ ବିଜୟ ଶଙ୍କରଙ୍କ ହାତରେ କ୍ୟାଚ କରାଇ ନେଇଥିଲେ । ହୋଲ୍ଡରଙ୍କ ସର୍ଟ ବଲକୁ ଖେଳୁଥିଲା ବେଳେ ଏହାକୁ ମିସ ଠାଇମ କରି କୋହଲି ଡିପ ଅଞ୍ଚଳରେ ଧରାପଡ଼ି ଯାଇଥିଲେ । ଫଳରେ ଡ୍ରେସିଂ ରୁମକୁ ଫେରିଲା ବେଳେ ରାଗରେ ନିଅାଁବାଣ ହୋଇ ପାଖରେ ପଡ଼ିଥିବା ଏକ ଚୌକିକୁ ଗୋଇଠା ମାରିବାର ଦୃଶ୍ୟ କ୍ୟାମେରା ଫ୍ରେମରେ ରେକର୍ଡ ହୋଇଯାଇଥିଲା । ମ୍ୟାଚ ପରେ ସେ ନିଜ ଦୋଷ ସ୍ୱୀକାର କରିନେବା ପରେ ମ୍ୟାଚ ରେଫରି ଭେଙ୍ଗଲି ନାରାୟଣ କୁଟି ଚେତାବନୀ ଦେଇ ଛାଡ଼ି ଦେଇଥିଲେ । ଆରସିବି ଏହି ମ୍ୟାଚକୁ ନାଟକୀୟ ଭାବେ ୬ ରନରେ ଜିତି ନେଇଥିଲା ।
