ଅହମ୍ମଦାବାଦ: ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଛି । ଚଳିତ ଲହରରେ ସଂକ୍ରମଣ ଦ୍ରୁତ ଗତିରେ ସବୁ ରାଜ୍ୟରେ ମାଡ଼ିଲାଣି । ଗୁଜରାଟରେ ମଧ୍ୟ ଗତ ୨୪ ଘଣ୍ଟାରେ ୯,୫୪୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୯୭ ଜଣଙ୍କ କରୋନାରେ ମୃତୁ୍ୟ ହୋଇଛି । ତେବେ ଗୁଜରାଟରେ ଡାକ୍ତରମାନେ କହିଛନ୍ତି, ଦ୍ୱିତୀୟ ଲହରରେ ଗର୍ଭବତୀ ମହିଳାମାନେ ଅଧିକ ପ୍ରଭାବିତ ହୋଇଛନ୍ତି । କେବଳ ଗର୍ଭବତୀମାନେ କରୋନା ସଂକ୍ରମିତ ହେଉନାହାନ୍ତି ବରଂ ଆଇସିୟୁରେ ମଧ୍ୟ ଏମାନଙ୍କ ସଂଖ୍ୟା ବଢ଼ୁଛି । ପ୍ରଥମ ଲହରରେ ଗର୍ଭବତୀଙ୍କଠାରେ କେବଳ ସାମାନ୍ୟ ଲକ୍ଷଣ ଦେଖାଦେଉଥିଲା । କିନ୍ତୁ ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇଥିବା ଗର୍ଭବତୀ ମହିଳାମାନେ ହଠାତ ଗୁରୁତର ହୋଇଯାଉଛନ୍ତି ଏବଂ ସେମାନେ ଅଧିକ ବିପଦରେ ରହୁଛି । ଗୁଜରାଟର ଏସଭିପି ହସ୍ପିଟାଲ ୭୦୦ କୋଭିଡ ପଜିଟିଭ ଗର୍ଭବତୀ ମହିଳାଙ୍କ କେସ ହ୍ୟାଣ୍ଡେଲ କରୁଛି କିନ୍ତୁ ଏହା ଗୋଟିଏ କେସ ହରାଇ ଦେଇଛି । ଚଳିତ ଲହରରେ ଅଧିକାଂଶ ରୋଗୀଙ୍କ ମୃତୁ୍ୟ ହୋଇଯାଉଛି । ସରକାରୀ ଅଫିସର ଶ୍ୱେତ ମେହଟା ସାହୁ ୯ ମାସର ଗର୍ଭବତୀ ଥିଲେ । ଡାକ୍ତରମାନେ ସୁରକ୍ଷିତ ଭାବେ ତାଙ୍କ ଡେଲିଭରି କରାଇଥିଲେ । କିନ୍ତୁ ଉଭୟ ମା’ ଏବଂ ଝିଅଙ୍କର ମୃତୁ୍ୟ ହୋଇଯାଇଛି । ଏସଭିପିରେ ଏବେ ୩ ଜଣ କରୋନା ପଜିଟିଭ ଗର୍ଭବତୀ ମହିଳା ଭେଣ୍ଟିଲେଟରରେ ଅଛନ୍ତି । ସୁରତରେ ଡାକ୍ତରମାନେ କହିଛନ୍ତି, ଚଳିତ ଲହରରେ ୨୦-୩୦ ବର୍ଷ ମଧ୍ୟରେ ଅଧିକାଂଶ ଗର୍ଭବତୀ ମହିଳା କରୋନା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ।
