ଭୁବନେଶ୍ୱର : କରୋନା ପାଇଁ ଏବେ ସାରା ରାଜଧାନୀ ଠପ । ସକାଳ ବେଳା ଦୋକାନ ବଜାର ଚଳଚଂଚଳ ରହୁଥିବାବେଳେ ଦିନ ୧୨ଟା ପରେ ଖାଁ ଖାଁ ହୋଇଯାଉଛି । ଫଳରେ ଅନେକ କାମଦାମ ନପାଇ ଅଭାବରେ ରହିବାକୁ ବାଧ୍ୟ ହେଉଛନ୍ତି । ହୋଟେଲ ବଜାର ଖୋଲୁନଥିବାରୁ ଅନେକ ଟଙ୍କା ଥାଇବି ଭଲରେ ଗଣ୍ଡେ ଖାଇପାରୁନାହାନ୍ତି । ତେବେ ଏଭଳି ସମୟରେ ସମସ୍ତଙ୍କ ପାଖରେ ପହଁଚି ପେଟ କଥା ବୁଝୁଛନ୍ତି ରାଜୀବ ପଟ୍ଟନାୟକ । ରାଜୀବ ହେଉଛନ୍ତି ଯୁବ କଂଗ୍ରେସର ଉପସଭାପତି । ନିର୍ବାଚନୀ ରାଜନୀତିରେ ସେ ଥରେ ବିଫଳ ହୋଇଥିଲେବି ସମାଜସେବାକୁ କିନ୍ତୁ ଭୁଲିପାରିନାହାନ୍ତି । କରୋନାର ଦ୍ୱିତୀୟ ଲହରର ଭୟଙ୍କର ପ୍ରଭାବ ଯୋଗୁଁ ଅନେକ ଘରୁ ପଦାକୁ ବାହାରୁ ନଥିବାବେଳେ ନିଜ ସହଯୋଗୀମାନଙ୍କୁ ସାଙ୍ଗରେ ଧରି ରାଜୀବ କିନ୍ତୁ ରାଜଧାନୀ ସାରା ବୁଲୁଛନ୍ତି । ପ୍ରତିଦିନ ସେ ହଜାର ହଜାର ଲୋକଙ୍କୁ ଖାଇବା ଯୋଗାଇ ଦେଉଛନ୍ତି । ଖାଲି ବସ୍ତିବାସିନ୍ଦା ନୁହଁନ୍ତି କରୋନା ସଂଗରୋଧରେ ଥିବା ଲୋକଙ୍କ ପାଖରେ ବି ଶ୍ରୀ ପଟ୍ଟନାୟକ ପହଁଚି ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେଇ ଆସୁଛନ୍ତି । ଏନେଇ ଶ୍ରୀ ପଟ୍ଟନାୟକ କହିଛନ୍ତିଯେ, କରୋନା ଲୋକଙ୍କ ସ୍ଥିତିକୁ ଦୋହଲାଇ ଦେଇଛି । କିଏ ଟଙ୍କା ଅଭାବରୁ ତ ଆଉ କିଏ ଟଙ୍କା ଥିଲେବି ହୋଟେଲ ଖୋଲୁନଥିବାରୁ ଭଲରେ ଖାଇପାରୁନାହାନ୍ତି । ତେଣୁ ଲକଡାଉନ ସମୟରେ ଯେଭଳି କେହି ଭୋକରେ ନରହିବେ ସେଥିପାଇଁ ସେ ଓ ତାଙ୍କର ସହଯୋଗୀମାନେ ସଂକଳ୍ପ ନେଇଛନ୍ତି । ଏକଦା ସେ ଦି ଚାରିଜଣ ଏଭଳି ଉଦ୍ୟମ ଆରମ୍ଭ କରିଥିବାବେଳେ ଏବେ ବହୁ ଯୁବସାଥି ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଯାଇଛନ୍ତି । ସେହିପରି ସରକାର ତୁରନ୍ତ ଟିକାଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆବଶ୍ୟକୀୟ ଅକ୍ସିଜେନ ସିଲିଣ୍ଡର, ଔଷଧ ପତ୍ର ମହଜୁଦ ରଖିବାକୁ ସେ ଦାବି କରିଛନ୍ତି ।
