କୋଲକାତା: ବୈଠକକୁ ଡାକି କହିବା ପାଇଁ ସୁଯୋଗ ଦେଲେନି । ତାହଲେ ବୈଠକକୁ କାହିଁକି ଡାକୁଥିଲେ । ମୁଖ୍ୟମନ୍ତ୍ରୀମାନଙ୍କୁ ଡାକି ପ୍ରଧାନମନ୍ତ୍ରୀ ସେମାନଙ୍କ ସହ କଥା ନହେବା ଅତି ଦୁଃଖଦାୟକ । ଯେଉଁଥି ପାଇଁ ମୋତେ ଅପମାନ ଲାଗିଲା । ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ପ୍ରକାଶ ଯେ, ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ତେବେ କରୋନା ମୁକାବିଲା ପାଇଁ ଆଜି ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ଜିଲ୍ଲାପାଳଙ୍କୁ କିଛି ପରାମର୍ଶ ଦେଇଥିଲେ । ଏହି ବୈଠକରେ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡାକି ସେମାନଙ୍କ ସହ କଥା ନହେବା ଦୁଃଖଦାୟକ । କଥା କହିବା ପାଇଁ ଆମକୁ ସୁଯୋଗ ଦିଆଗଲା ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି । ଏହାଛଡ଼ା ମମତା ବାନାର୍ଜୀ କହିଛନ୍ତି ଯେ, ଅଧିକ ଟିକା ପାଇଁ ଦାବି କରିଥାଆନ୍ତୁ, କିନ୍ତୁ କହିବା ପାଇଁ ଆମକୁ ଅନୁମତି ମିଳିଲା ନାହିଁ। କେବଳ କେତେଜଣ ବିଜେପି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ସଂକ୍ଷପରେ ଭାଷଣ ଦେବା ପରେ ସଭା ସାଙ୍ଗ ହୋଇଗଲା। ଏଇଟା ଥିଲା ଗୋଟାଏ ଅନୌପଚାରିକ ସଭା। ଆମକୁ ଅପମାନ ଲାଗିଲା। ସେ ଟିକା କିଂବା ରେମ୍ଡେସିଭିୟର୍ ପ୍ରସଙ୍ଗରେ ପଚାରିଲେ ନାହିଁ। ‘ବ୍ଲାକ୍ ଫଙ୍ଗ୍ସ୍’ ମାମଲା ବିଷୟରେ ବି ସେ ପଚାରିଲେ ନାହିଁ। ବୈଠକରେ କହିବା ଲାଗି ସୁଯୋଗ ନ ମିଳିବାରୁ ଅପମାନ ଲାଗିଲା ବୋଲି ମମତା ବାନାର୍ଜୀ କହିଛନ୍ତି ।
