ପିଲାଙ୍କୁ ଟିକାକରଣ ପାଇଁ ଭରା ନଦୀ ପାର କରି ଗଲେ ଏହି ନର୍ସ

ପିଲାଙ୍କୁ ଟିକାକରଣ ପାଇଁ ଭରା ନଦୀ ପାର କରି ଗଲେ ଏହି ନର୍ସ

ଜାତୀୟ ଖବର

ରାଞ୍ଚି: ସମଗ୍ର ଦୁନିଆରେ ଟିକାକରଣ ଅଭିଯାନ ଜାରି ରହିଛି। ଦୂର ଦୂରାନ୍ତ ସ୍ଥାନକୁ ଯାଇ ସ୍ବାସ୍ଥ୍ୟକର୍ମୀ ଲୋକଙ୍କୁ ଟିକା ଦେଉଛନ୍ତି। ଆଜିକା ସମୟରେ ବି ଏମିତି କିଛି ସ୍ଥାନ ଅଛି ନା ସେଠାକୁ ବସ ଯାଉଛି ନା କୌଣସି ଦୁଇ ଚକିଆ ଯାନ। ଯିବାକୁ ହେଲେ ପାଦରେ ଚାଲିଚାଲି ଯିବାକୁ ହୁଏ। ଏହି କ୍ରମରେ ଝାଡଖଣ୍ଡରୁ ଏକ ଫଟୋ ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନର୍ସ ନିଜର ପିଲାକୁ ପିଠିରେ ବାନ୍ଧି ନଦୀ ପାର କରୁଛନ୍ତି। ସେ ଏକ ଦୂରଦୂରାନ୍ତ ଗାଁକୁ ପିଲାଙ୍କୁ ଟିକା ଦେବାକୁ ଯାଉଛନ୍ତି।

ଏହି ମହିଳାଙ୍କ ନାମ ମାନତୀ କୁମାରୀ। ସେ ଚେତମା ଉପସ୍ବାସ୍ଥ୍ୟ କେନ୍ଦ୍ରରେ ଏଏନଏମ ରହିଛନ୍ତି। ମାନତୀ କୁମାରୀ ପ୍ରତିମାସରେ ଅକ୍ସି ପଞ୍ଚାୟତର ଏକ ଗ୍ରାମକୁ  ଶିଶୁମାନଙ୍କୁ ଟିକାକରଣ ପାଇଁ ଯାଇ ଥାଆନ୍ତି। ତେବେ ବର୍ଷା ହେତୁ ନଦୀରେ ପାଣି ଭରି ଯାଇଥିଲା। ଏହା ସ୍ବତ୍ତ୍ବେ ବି ଯେମିତି ଟିକାକରଣରେ ବିଳମ୍ବ ନହୁଏ ସେଥିପାଇଁ ସେ ତାଙ୍କ ଦେଢ଼ ବର୍ଷର ଶିଶୁକୁ ସାଙ୍ଗରେ ଧରି ଆଖପାଖ ଗାଁର ପିଲାଙ୍କୁ ଟିକା ଦେବାକୁ ବାହାରି ପଡ଼ିଥିଲେ। ସେ ଯେଉଁ ନଦୀ ପାର କରି ଯାଉଛନ୍ତି ସେହି ନଦୀର ନାମ ବୁରା ନଦୀ ବୋଲି ଜଣାପଡ଼ିଛି।

Powered by Froala Editor