ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ପୁଣିଥରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଛି । ଟିକା ଆସିବା ପରେ ଲୋକମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି । ଆଉ କେବେ ସେମାନଙ୍କ ଟିକା ନେବାର ପାଳି ଆସିବା ତାହାକୁ ଅପେକ୍ଷା କରିଛନ୍ତି । ଆପଣ ବି ଯଦି କରୋନା ଟିକା ନେବାକୁ ଚାହୁଁଛନ୍ତି ତେବେ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସ୍ବାସ୍ଥ୍ୟ ବିଶେଷଜ୍ଞ ଏମିତି କିଛି କଥା କହିଛନ୍ତି ଯାହାକି ଟିକା ନେବାର ୨୪ ଘଣ୍ଟା ଭିତରେ ଆଦୌ କରିବା ଉଚିତ ନୁହେଁ ।
ସାମାନ୍ୟ ଯନ୍ତ୍ରଣା ହେଲେ ଲୋକମାନେ ଯନ୍ତ୍ରଣାହାରକ ବଟିକା ଖାଇ ଦେଇଥାଆନ୍ତି । ଯଦି ଆପଣଙ୍କୁ ଟିକା ନେବାର ଅଛି ତେବେ ୨୪ଘଣ୍ଟା ପୂର୍ବରୁ କୌଣସି ପ୍ରକାର ଯନ୍ତ୍ରଣା ଦୂର କରିଲା ଭଳି ଔଷଧ ସେବନ କରନ୍ତୁ ନାହିଁ । ଡାକ୍ତରଙ୍କ କହିବାନୁସାରେ ଯନ୍ତ୍ରଣା ଦୂର କରିବାର ଏପରି କିଛି ଔଷଧ ଅଛି ଯାହାକି ଟିକାର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିପାରେ । ଏଥିପାଇଁ ଟିକା ନେବା ପୂର୍ବରୁ ଏହି ଔଷଧ ସେବନ କରିବା ଉଚିତ ନୁହେଁ ।
କରୋନା ଟିକା ନେବା ପୂର୍ବରୁ ଆଲକୋହଲ ଜାତୀୟ ପଦାର୍ଥ ଆଦୌ ସେବନ କରନ୍ତୁ ନାହିଁ । ଡାକ୍ତରଙ୍କ କହିବାନୁସାାରେ ମଦ କାରଣରୁ ଆପଣଙ୍କୁ ଡିହାଇଡ୍ରେସନ ଓ ହ୍ୟାଙ୍ଗଓଭର ହୋଇପାରେ, ଯାହାକି ଟିକାର ପ୍ରଭାବକୁ ହ୍ରାସ କରିପାରେ । ଟିକା ନେବା ପୂର୍ବରୁ ପ୍ରଚୁର ପାଣି ପିଇବା ସହିତ ହାଇଡ୍ରେଟ ରୁହନ୍ତୁ ।
ଟିକା ନେବାର ଗୋଟିଏ ରାତି ପୂର୍ବରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରୁହନ୍ତୁ ନାହିଁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଭଲ ନିଦ ହୋଇଥିଲେ ଟିକା ଶରୀର ପ୍ରତି ଭଲ ପ୍ରଭାବ ପକାଇଥାଏ । କେବଳ ଯେ ଟିକା ନେବା ପୂର୍ବରୁ ଭଲ ନିଦ୍ରା ନୁହେଁ ଟିକା ନେବା ପରେ ବି ଭଲରେ ଶୋଇବା ଉଚିତ ।
କୌଣସି ବି ଦୁଇଟି ଟିକା ଦୁଇଦିନରେ ନେଇ ପାରିବେ । କିନ୍ତୁ କରୋନା ଟିକା କ୍ଷେତ୍ରରେ ଏପରି କରିବାକୁ ଡାକ୍ତର ବାରଣ କରିଛନ୍ତି । ଆପଣ ଯଦି ଜ୍ବର ପାଇଁ କୌଣସି ଟିକା ନେଇଛନ୍ତି ସେହିଦିନ କରୋନା ଟିକା ନେଇ ପାରିବେ ନାହିଁ । ଅତିକମରେ ୧୪ଦିନ ପରେ ଯାଇ କରୋନା ଟିକା ନେବେ । ସେହିପରି କରୋନା ଟିକା ନେଇଥିଲେ ଯଦି ଅନ୍ୟ କୌଣସି ଟିକା ନେବା ଜରୁରୀ ରହିଛି ତେବେ ଅତିକମରେ ୧୪ଦିନ ଅପେକ୍ଷା କରନ୍ତୁ ।
କେବଳ ଏତିକି ନୁହେଁ, କୌଣସି ବ୍ୟକ୍ତି ଭୟଭୀତ ହୋଇ କରୋନା ଟିକା ନିଅନ୍ତୁ ନାହିଁ । କରୋନା ଟିକା ନେବା ପୂର୍ବରୁ ନିଜକୁ ପୂରାପୂରି ପ୍ରସ୍ତୁତ ରଖନ୍ତୁ । ସେହିପରି ଟିକା ନେବା ପରେ ହଡବଡ଼ାନ୍ତୁ ନାହିଁ । ଶାନ୍ତିର ସହ ବସି ରହନ୍ତୁ । କାରଣ ଯଦି ଟିକା ନେବା ପରେ କୌଣସି ପାର୍ଶ୍ବପ୍ରତିକ୍ରିୟା ଦେଖାଗଲା ତୁରନ୍ତ ସେଠାରେ ଥିବା ଡାକ୍ତର ଆପଣଙ୍କ ଚିକିତ୍ସା କରି ପାରିବେ ।
ଯେଉଁଲୋକମାନେ ଦେଢ଼ ମାସ ପୂର୍ବରୁ କରୋନା ସଂକ୍ରମିତ ହୋଇଛନ୍ତି କିମ୍ବା ଯେଉଁମାନେ ବ୍ଲଡ ପ୍ଲାଜମା/ମୋନୋକ୍ଲୋନଲ ଆଣ୍ଟିବଡ଼ି ଥେରାପି ନେଇଛନ୍ତି ସେମାନେ କରୋନା ଟିକା ନେବାରୁ ନିବୃତ୍ତ ରୁହନ୍ତୁ । ସେହିପରି ଯେଉଁଲୋକମାନଙ୍କୁ କୌଣସି ବି ଔଷଧ ସେବନ କଲେ ଏଲାର୍ଜି ହୋଇଯାଇଥାଏ ସେମାନଙ୍କୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏଥିସହିତ ଅନ୍ତସତ୍ତ୍ବା ଓ ସ୍ତନ୍ୟପାନ କରୁଥିବା ମହିଳାଙ୍କୁ କରୋନା ଟିକା ନେବା ଉଚିତ ନୁହେଁ । କାରଣ ଏମାନଙ୍କ ଉପରେ ଏଯାବତ କୌଣସି ବି ପ୍ରକାର କ୍ଲିନିକାଲ ପରୀକ୍ଷଣ କରାଯାଇ ନାହିଁ ।
Powered by Froala Editor
