ଅମିତାଭ ବଚ୍ଚନଙ୍କୁ ବୋମାମାଡ ଧମକ

ଅମିତାଭ ବଚ୍ଚନଙ୍କୁ ବୋମାମାଡ ଧମକ

ଜାତୀୟ ଖବର

ମୁମ୍ବାଇ : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଦୁର୍ବୃତମାନେ ଧମକ ଦେଇଛନ୍ତି  । ତାଙ୍କ ଘର ଉପରେ ବୋମାମାଡ଼ କରିବା ପାଇଁ ଧମକ ଦିଆଯାଇଛି  । ଯାହା ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି  । ଖାଲି ଅମିତାଭଙ୍କ ଘର ନୁହେଁ ମୁମ୍ବାଇର ତିନି ପ୍ରମୁଖ ରେଳ ଷ୍ଟେସନ ଉପରେ ମଧ୍ୟ ବୋମା ବିସ୍ଫୋରଣ କରାଯିବ  । ପୁଲିସକୁ ଏଭଳି ଧମକ ମିଳିବା ପରେ ଏବେ ମହାରାଷ୍ଟ୍ର ପୁଲିସ ଚଳଚଂଚଳ ହୋଇଯାଇଛି  ।


ମୁମ୍ବାଇରେ ଏହା ଚାଂଚଲ୍ୟ ସୃଷ୍ଟି କରିଛି  । ଏବେ ପୁଲିସ ସର୍ଚ୍ଚ ଅପରେସନ ଜାରିରଖିଛି । ତେବେ ସର୍ଚ୍ଚ ଅପରେସନରେ ଏଯାଏଁ ବୋମା କିମ୍ବା କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ ।


ଅପରପକ୍ଷରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି  । ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇ ପୁଲିସର କଂଟ୍ରୋଲ ରୁମକୁ ଏକ ଫୋନ୍‌ କଲ୍‌ ଆସିଥିଲା । ଫୋନ୍‌ କରିଥିବା ବ୍ୟକ୍ତି କହିଥିଲା, ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ, ଭାୟଖଲା, ଦାଦର ରେଲୱେ ଷ୍ଟେସନ ଏବଂ ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ବିସ୍ଫୋରଣ ହେବ । ଏହି ସବୁ ସ୍ଥାନରେ ବୋମା ରଖା ହୋଇଛି ।


ଏହାପରେ ରେଲୱେ ପୁଲିସ, ରେଲୱେ ସୁରକ୍ଷାବଳ, ବମ୍‌ ଡିଟେକସନ୍‌ ସ୍କ୍ୱାଡର଼୍, ଡଗ ସ୍କ୍ୱାଡ ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ଉକ୍ତ ସ୍ଥାନଗୁଡିକରେ ପହଁଚି ତଲାସି ଅଭିଯାନ ଚଳାଇଥିଲା ।  ଏବେବି ଉକ୍ତ ସ୍ଥାନଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଥିବା ସହ ସର୍ଚ୍ଚ ଅପରେସନ ଜାରି ରହିଥିବା ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Powered by Froala Editor