ଅଗଷ୍ଟ ୧୫ ଯାଏ ନାହିଁ ବର୍ଷା ସମ୍ଭାବନା , ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ୁଛି

ଅଗଷ୍ଟ ୧୫ ଯାଏ ନାହିଁ ବର୍ଷା ସମ୍ଭାବନା , ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ୁଛି

ରାଜ୍ୟ ଖବର

ଭୁବନେଶ୍ୱର: ରାଜ୍ୟରେ ଚଳିତ ବର୍ଷ ଠିକ ସମୟରେ ମୌସୁମୀ ପ୍ରବେଶ କରିବ ଓ ସ୍ୱାଭାବିକ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ଏହି ଆକଳନ ସତ ହେଲା ଓ ଠିକ ସମୟରେ ଅର୍ଥାତ ଜୁନ ୧୦ ତାରିଖ ଆଡ଼କୁ ମୌସୁମୀ ଓଡ଼ିଶା ଛୁଇଁଥିଲା । ପ୍ରଥମ କେଇ ଦିନ ଭଲ ବର୍ଷା ହେଲା । ଜୁନ ମାସର ୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିଲେ ବି ଏହାକୁ ସ୍ୱାଭାବିକ କୁହାଗଲା । କିନ୍ତୁ ଜୁଲାଇ ସରୁ ସରୁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାକୁ ଲାଗିଲା । ଜୁଲାଇ ୩୧ ତାରିଖ ସୁଦ୍ଧା ରାଜ୍ୟରେ ୧୯ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହେଲା । ଆଉ ଅଗଷ୍ଟର ପ୍ରଥମ ୧୦ ଦିନରେ ନିଅଣ୍ଟିଆ ବର୍ଷା ସ୍ଥିତି ଉଦବେଗଜନକ ହୋଇପଡ଼ିଛି । ରାଜ୍ୟର ଅନେକ ସ୍ଥାନରେ ମୌସୁମୀ ବର୍ଷା ଉଭାନ ହୋଇ ଯାଇଥିବାରୁ ଅଭାବୀ ବର୍ଷା ପରିମାଣ ୧୯%ରୁ ବଢ଼ି ୨୯%ରେ ପହଞ୍ଚିଛି । ବର୍ଷା ଅଭାବରୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବେଶ୍ କେତୋଟି ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ୧ ଜୁନରୁ ୧୦ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ୪୮୮.୪ ମିମି ବର୍ଷା ହୋଇଛିାା ଏହି ସମୟ ପରିଧି ମଧ୍ୟରେ ସ୍ୱାଭାବିକ ଭାବେ ରାଜ୍ୟରେ ୬୮୮.୧ ମିମି ବର୍ଷା ହୋଇଥାଏ । ଅର୍ଥାତ ରାଜ୍ୟରେ ଏବେ ୨୯% ନିଅଣ୍ଟିଆ ବର୍ଷା ହୋଇଯାଇଛି । ଭଦ୍ରକ, ବଲାଙ୍ଗୀର, ଗଜପତି ଓ ଯାଜପୁର ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉଦବେଗଜନକ ରହିଛି । ଏହି ୪ ଜିଲ୍ଲାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ରାଜ୍ୟର ୨୦ ଜିଲ୍ଲା ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲାର ତାଲିକାଭୁକ୍ତ । ମାତ୍ର ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା କେନ୍ଦ୍ର ସୂଚନା ଦେଇଛି । ଅନ୍ୟପଟେ ମୌସୁମୀ ଟ୍ରଫ ଲାଇନ ଏବେ ବି ଉତ୍ତରାଭିମୁଖୀ ରହିଛି । ଫଳରେ ରାଜ୍ୟରେ ଅଗଷ୍ଟ ୧୫ ଯାଏ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । କିଛି କିଛି ଜିଲ୍ଲାରେ ପରିଚଳନଜନିତ ବର୍ଷା ଅପରାହ୍ନ ଆଡ଼କୁ ହେବାର ସମ୍ଭାବନା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Powered by Froala Editor