ଭୁବନେଶ୍ୱର : ବିଜେପିର ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ନେତା ଜଗନ୍ନାଥ ପ୍ରଧାନ ଖୁବଶୀଘ୍ର ବିଜେପି ଛାଡ଼ିପାରନ୍ତି । ଭୁବନେଶ୍ୱର ବିଜେପିରେ ବଢ଼ି ଚାଲିଥିବା ଅନ୍ତଃକନ୍ଦଳ ପାଇଁ ଜଗନ୍ନାଥ ବିଜେପି ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ଅଗଷ୍ଟ ୧୭ କିମ୍ବା ୧୯ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ ହେବାକୁ ଏକ ମିଶ୍ରଣ ପର୍ବରେ ସେ ତାଙ୍କର କିଛି ସମର୍ଥକଙ୍କ ସହ ବିଜେଡିରେ ମିଶିବେ ବୋଲି ଆପାତତଃ ସ୍ଥିର ହୋଇଥିବା କୁହାଯାଉଛି । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ତିନିତିନି ଥର ବିଜେପି ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ଦଳ ଛାଡ଼ିବା ଖବର ପ୍ରଚାର ହେବା ପରେ ଭୁବନେଶ୍ୱର ବିଜେପିରେ କମ୍ପନ ସୃଷ୍ଟି ହୋଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ମଧ୍ୟସ୍ଥତାରେ ଜଗନ୍ନାଥ ବୁଧବାର ରାତିରେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ଭେଟିଥିଲେ । ଏହି ଗୋପନ ବୈଠକରେ ତାଙ୍କ ଦଳ ଛାଡ଼ିବା ନେଇ ଆଲୋଚନା ହୋଇଥିଲା । ହେଲେ କିଛି ଚୂଡ଼ାନ୍ତ ହୋଇନଥିଲା । ସଂଧ୍ୟାରେ ଭୁବନେଶ୍ୱରର ଆଉ ଜଣେ ବିଧାୟକଙ୍କ ସହ ଜଗନ୍ନାଥ ପୁଣିଥରେ ଉକ୍ତ ବରିଷ୍ଠ ନେତାଙ୍କ ପାଖକୁ ଯାଇଥିଲେ । ସେଠାରେ ତିନି ଜଣ ଦୀର୍ଘ ସମୟ ଆଲୋଚନା କରିବା ପରେ ଜଗନ୍ନାଥ ବିଜେଡିରେ ମିଶିବେ ବୋଲି ସମ୍ମତି ଜଣାଇଥିବା ନେଇ ସୂଚନା ମିଳିଛି । ଏପରିକି ତାଙ୍କ ସହ ଭୁବନେଶ୍ୱର ବିଜେପିର କିଛି ମଣ୍ଡଳ ସଭାପତି, କର୍ମକର୍ତ୍ତା, ଜିଲ୍ଲା ଯୁବ ମୋର୍ଚ୍ଚା, ସଂଖ୍ୟାଲଘୁ ମୋର୍ଚ୍ଚା ଓ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ବିଜେଡିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
Powered by Froala Editor
