ଜଗତସିଂହପୁର : ରଘୁନାଥପୁରରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିବାଦ ଚାଲିଥିବା ବେଳେ ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମୁହଁ ଖୋଲିଛନ୍ତି । ଜିଲ୍ଲା ପାଇଁ ଆଦୌ ତ୍ୟାଗ ନଥିବା ବ୍ୟକ୍ତିଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଗ୍ରହଣୀୟ ନୁହେଁ ବୋଲି ଦାମ କହିବା ସହ ବିଷ୍ଣୁଙ୍କ ଦୁର୍ନୀତିଗ୍ରସ୍ତ ଅନୁଗତମାନେ ଏମିତି କାର୍ଯ୍ୟ କରିଛନ୍ତି ବୋଲି ସେ କହିଛନ୍ତି । ଦାମ କହିଛନ୍ତି, ଗୋପବନ୍ଧୁ ହେଲେ ତ୍ୟାଗ ଓ ସେବାର ପ୍ରତୀକ । ଏମିତି ଏକ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ନିନ୍ଦନୀୟ । ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ତାଙ୍କ ଅନୁଗତମାନେ ମଧ୍ୟ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ । ବିଷ୍ଣୁ ମନ୍ତ୍ରୀ ଓ ବିଧାୟକ ଥିବା ବେଳେ ସେମାନେ ତାଙ୍କଠାରୁ ଭରପୂର ଫାଇଦା ନେବା ସହ ଗରିବ ଲୋକମାନଙ୍କୁ ଲୁଟିଛନ୍ତି । ଅନ୍ୟପଟେ ବିଷ୍ଣୁଙ୍କ ଅନୁଗତମାନେ କହିଛନ୍ତି, ଦାମବାବୁ ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ତ କିଛି କରି ନାହାନ୍ତି ବରଂ ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇଛନ୍ତି । ଜିଲ୍ଲାରେ ସେ ଯେଉଁ ବିକାଶ କରିଛନ୍ତି ତାର ତାଲିକା ଜିଲ୍ଲାବାସୀଙ୍କ ପାଖରେ ରଖିବାକୁ ଏମାନେ ଆହ୍ୱାନ ଦେଇଛନ୍ତି ।
Powered by Froala Editor
