ବାରିପଦା: ବାଇକରେ ନଦୀ ପୋଲ ପାର ହେଉଥିବା ବେଳେ ସମସ୍ତଙ୍କ ଆଖି ଆଗରେ ଭାସିଗଲେ ଯୁବକ । ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୭କୁ ସଂଯୋଗ କରୁଥିବା ଜରାଳୀ ନଦୀ ପୋଲରେ ଘଟିଛି ଏଭଳି ଅଘଟଣ । ସୂଚନା ଅନୁଯାୟୀ ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଜରାଳୀ ନଦୀ ଫୁଲିବା ସହ ପୋଲ ଉପରେ ପାଣି ଚାଲିଥିଲା । ୱାର୍ଡ ନଂ ୧୬ ର ପ୍ରକାଶ ସାହୁ ଓରଫ ଗୁଲୁ (୨୮) ବାଇକରେ ଉକ୍ତ ପୋଲ ପାର ହେବାକୁ ଚେଷ୍ଟା କରିଥିଲେ । ଆଉ ଏହି ଦୁଃସାହସ ତାଙ୍କୁ ମହଙ୍ଗା ପଡ଼ିଲା । ସୁଅରେ ଭାରସାମ୍ୟ ହରାଇ ସମସ୍ତଙ୍କ ଆଖି ଆଗରେ ସେ ଭାସି ଯାଇଥିଲେ । ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ବାରିପଦା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ଗୁଲୁଙ୍କ ପତ୍ତା ମିଳିପାରିନି । ତେବେ ପାଣି ଭିତରୁ ତାଙ୍କ ବାଇକଟି ଉଦ୍ଧାର କରାଯାଇଛି । ସନ୍ଧ୍ୟା ହେବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।
Powered by Froala Editor
