୨୧ରେ ଓଡିଶାର ଉଚ୍ଚଶିକ୍ଷା ସମ୍ପର୍କରେ ସମୀକ୍ଷା କରିବେ ଧର୍ମେନ୍ଦ୍ର

୨୧ରେ ଓଡିଶାର ଉଚ୍ଚଶିକ୍ଷା ସମ୍ପର୍କରେ ସମୀକ୍ଷା କରିବେ ଧର୍ମେନ୍ଦ୍ର

ରାଜ୍ୟ ଖବର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ୪ ଦିନିଆ ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଉଚ୍ଚଶିକ୍ଷା ସମ୍ପର୍କରେ ସମୀକ୍ଷା କରିବେ । ଓଡ଼ିଶାରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପାଣ୍ଠି ବିନିଯୋଗ ନେଇ ଅଗଷ୍ଟ ୨୧ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କର ଆଲୋଚନା ହେବ । ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବ ବୋଲି ଶିକ୍ଷାବିତମାନେ ଆକଳନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ କାମିନି ରତନ ଚୌହାନ, ନିର୍ଦେଶକ ବିଶ୍ୱଜିତ କୁମାର ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି । ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ଉକ୍ତ ଦୁଇ ଅଧିକାରୀ ମଧ୍ୟ ସାମିଲ ହେବେ । ଓଡ଼ିଶାର ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର, ଅତିରିକ୍ତ ସଚିବ ତଥା ରୁସା ଅଧିକାରୀ ରାଜଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ରହିବେ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୈଠକର ରୂପରେଖ ପ୍ରସ୍ତୁତ ଲାଗି ମନ୍ତ୍ରଣାଳୟର ଅଧିକାରୀ ଆଶିକ ଅଲ୍ଲି ୧୭ ତାରିଖ ତଥା ମଙ୍ଗଳବାର ଆଗୁଆ ଆସିବାର କାର୍ଯ୍ୟକ୍ରମ ରହିଛି । ସେ ୨୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ । ଶିକ୍ଷା ମନ୍ତ୍ରଣାଳୟର ୩ ଜଣ ବରିଷ୍ଠ ଅଧିକାରୀଙ୍କ ଲାଗି ରାଜ୍ୟ ଅତିଥି ଭବନରେ ରହିବାର ବନେ୍ଦାବସ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ଓଡ଼ିଶାରେ ରୁସା ପାଣ୍ଠି ବିନିଯୋଗର ସମୀକ୍ଷା ହେବ । ବିଶ୍ୱବିଦ୍ୟାଳୟଗୁଡ଼ିକ ରୁସା ଅର୍ଥ ଖର୍ଚ୍ଚ କରୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏମିତିକି ଦିଆଯାଇଥିବା ଅର୍ଥ ଖର୍ଚ୍ଚ କଲେ ମଧ୍ୟ ବିନିଯୋଗ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରମାଣପତ୍ର ଦେଉ ନ ଥିବା ଦେଖିବାକୁ ମିଳୁଛି । ସେହି ଦୃଷ୍ଟିରୁ ଏହି ଆଲୋଚନା ଅଧିକ ଗୁରୁତ୍ୱ ବହନ କରୁଛି । ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ର ରୂପରେଖ ନେଇ ମଧ୍ୟ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ ।

Powered by Froala Editor